ଓଡିଶା

odisha

ETV Bharat / state

ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ କଲବଲ କରୁଛି ପ୍ରଶାସନ ! - ଅସୁବିଧାରେ ସାତଭାୟା ବିସ୍ଥାପିତ ପରିବାର

କେନ୍ଦ୍ରାପଡ଼ା ସାତଭାୟା ପଞ୍ଚାୟତରେ ମାଡ଼ି ଆସୁଛି ସମୁଦ୍ର । ଜୀବନ ବଞ୍ଚାଇବାକୁ ଯାଇ ୬୦୦ରୁ ଊର୍ଦ୍ଧ୍ୱ ପରିବାର ଗାଁ ଛାଡି ବଗପାଟିଆରେ ବିସ୍ଥାପିତ ଜୀବନ ବିତାଉଛନ୍ତି । ଅନେକ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଖୋଜୁଛନ୍ତି ଭିଟାମାଟି । ଯେଉଁମାନେ ପୂର୍ବରୁ ଜାଗା ପାଇଛନ୍ତି ସେମାନଙ୍କୁ ପୁନଃ ଜାଗା ଦିଆଯାଉଥିବା ବେଳେ ବିକ୍ଷୋଭ ଓ ଧାରଣା ମଧ୍ୟ ପ୍ରଦର୍ଶନ କରିଛନ୍ତି ବଞ୍ଚିତ ରହିଥିବା ପରିବାର । ଅଧିକ ପଢ଼ନ୍ତୁ

ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ ପାତର ଅନ୍ତର ଅଭିଯୋଗ
ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ ପାତର ଅନ୍ତର ଅଭିଯୋଗ

By

Published : Nov 9, 2022, 7:58 AM IST

କେନ୍ଦ୍ରାପଡ଼ା: ସମୁଦ୍ର ଗର୍ଭରେ ଲୀନ ହୋଇଛି ଉପକୂଳବର୍ତ୍ତୀ ସାତଭାୟା ପଞ୍ଚାୟତର ବିସ୍ତୀର୍ଣ୍ଣ ଅଞ୍ଚଳ । ଜୀବଜଗତରେ ବୃକ୍ଷ ଅଭାବ ଯୋଗୁଁ ଅମ୍ଳଜାନର ଅଭାବ ଏବଂ ଅଙ୍ଗାରକାମ୍ଳ ବୃଦ୍ଧି ସମଗ୍ର ବିଶ୍ବକୁ ସ୍ତବ୍ଧ କରୁଥିବାବେଳେ ସମୁଦ୍ରର କରାଳ ରୂପରୁ ବର୍ତ୍ତିବାକୁ ଜୀବନ ଧରି ସ୍ଥାନାନ୍ତର ହେଉଛନ୍ତି ଲୋକେ । ତେବେ କେନ୍ଦ୍ରାପଡ଼ା ସାତଭାୟା ପଞ୍ଚାୟତରେ ସ୍ଥାନାନ୍ତର ହୋଇଥିବା ୬୦୦ରୁ ଊର୍ଦ୍ଧ୍ବ ପରିବାର ଗାଁ ଛାଡି ବଗପାଟିଆରେ ବିସ୍ଥାପିତ ଜୀବନ ବିତାଉଥିବାବେଳେ ଅନେକ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଖୋଜୁଛନ୍ତି ଭିଟାମାଟି ।

ମାଡ଼ି ଆସୁଛି ଜଳ ରାକ୍ଷସ

ଗତ ୫୦ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ନିକଟରେ ଥିବା ସମୁଦ୍ର ଡେଇଁଛି ୧୫ କିଲୋମିଟରରୁ ଉର୍ଦ୍ଧ୍ବ ବାଟ । ୧୯୭୧ ମସିହାରେ ପ୍ରଥମଥର ପାଇଁ ସମୁଦ୍ର ଏହାର କୂଳ ଲଙ୍ଘନ କରି ନେଇଥିଲା ଶତାଧିକ ଜୀବନ । ସେହିଦିନ ଠାରୁ ଆଜିଯାଏଁ ପଛକୁ ଫେରିନି ଜଳ ରାକ୍ଷସ । ଏପରିକି ଦରିଆ ରାଣୀ ମା' ପଞ୍ଚୁବରାହୀଙ୍କ ମନ୍ଦିରର ଆଉ ମାତ୍ର କିଛି ଅଂଶ ବଞ୍ଚିଯାଇଥିବା ଗତ କିଛିଦିନ ତଳେ ଦେଖିବାକୁ ମିଳିଛି । ୧୯୯୦ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଓଡିଶା ଏହାର ୨୮% ଭୂମି ସମୁଦ୍ର ବୁକୁରେ ହରାଇଥିବା ବେଳେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ୩୧ କିଲୋମିଟର ଭୂଭାଗ ସମୁଦ୍ର ଗର୍ଭରେ ଲୀନ ହୋଇଥିବା National Center for Coastal Research, Chennai ର ଏକ ଅଧ୍ୟୟନରୁ ଜଣାପଡିଛି ।

ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ ପାତର ଅନ୍ତର ଅଭିଯୋଗ

ବିସ୍ଥାପିତଙ୍କୁ ମିଳୁନି ଘର

୨୦୦୮ରୁ ୨୦୧୭ ମସିହା ମଧ୍ୟରେ ୫୭୧ ପରିବାରକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସାତଭାୟା ଠାରୁ ୧୦ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର କରାଇଛି । କାନପୁର, ଚାରିଘରିଆ ଭଳି ସମୁଦ୍ରରେ ମିଶି ଯାଇଥିବା ସ୍ଥାନରେ ଥିବା ଭିଟାମାଟି ଛାଡି ଜୀବନକୁ ବଞ୍ଚାଇ ମଗରକନ୍ଦାରେ ବସବାସ କରୁଛନ୍ତି ପ୍ରାୟ ୪୦ ଦଳିତ ପରିବାର । ତେବେ ଏମାନଙ୍କୁ ଭିଟାମାଟି ଖଣ୍ଡେ ଯୋଗାଇ ଦେବାକୁ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯେଉଁମାନେ ପୂର୍ବରୁ ଜାଗା ପାଇଛନ୍ତି ସେମାନଙ୍କ ପରିବାରକୁ ପୁନଃ ଜାଗା ଦିଆଯାଉଥିବା ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ ବଳକା ରହିଥିବା ପରିବାର ।

ଜମି ଆବଣ୍ଟନ ପ୍ରକ୍ରିୟାରେ ମନମାନୀ

ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇ ସାତଭାୟା ଓ କାହ୍ନୁପୁର ଅଞ୍ଚଳରେ ବସବାସ କରୁଥିବା ୧୪୮ ପରିବାର ଓ ଚାରିଘରିଆର ୯୯ ପରିବାରକୁ ପ୍ରଦାନ କରାଯାଇଛି । ତେବେ ଏହି ଆବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ମନମାନୀ ହୋଇଥିବା ଓ ଚାରିଘରିଆରେ ଜମି ପାଇଥିବା ୯୯ ପରିବାର ମଧ୍ୟରୁ ଅନେକ ବାଂଲାଦେଶୀ ବୋଲି ଅଭିଯୋଗ ହୋଇଛି । ପ୍ରତ୍ୟେକ ପରିବାରକୁ ୧୦ ଡିସିମଲ ଅର୍ଥାତ ଅଢେଇ ଗୁଣ୍ଠ ଜମି ଯୋଗାଇ ଦିଆଯାଇଥିବା ବେଳେ ଜୀବିକା ନିର୍ବାହ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଏବେ ଅନେକ ବିସ୍ଥାପିତ ପରିବାରର ଲୋକେ ବାହାର ରାଜ୍ୟରେ ଦାଦନ ଖଟୁଥିବା କହିଛନ୍ତି ଲୋକେ ।

'ସର୍ବସମ୍ମତି କ୍ରମେ ହୋଇଛି ଆବଣ୍ଟନ'

ଉପ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, "ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ କରାଯାଇଛି । ଜମି ଆବଣ୍ଟନ ବେଳେ ସ୍ଥାନୀୟ ଲୋକଙ୍କ ସହ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ଯେଉଁ କାର୍ଯ୍ୟ ରହିଯାଇଛି, ସରକାରଙ୍କ ନିର୍ଦ୍ଦେଶ ପରେ ସେ ସବୁ କରାଯିବ ।" ଗୋଟିଏ ପଟେ ସମୁଦ୍ରର କରାଳ ରୂପ ଆଉ ଅନ୍ୟପଟେ ଜୀବନ ପାଇଁ ପ୍ରଶାସନ ନିକଟରେ ଲୋକଙ୍କ ଗୁହାରି । କେବେ ଲୋକଙ୍କ ସମସ୍ୟା ଦୂର ହେବ ତାହା ସମୟ ହିଁ କହିବ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details