କେନ୍ଦ୍ରାପଡ଼ା: ଦୀର୍ଘଦିନ ଧରି ଜମା ଟଙ୍କାର ମ୍ୟାଚୁରିଟି ପୁରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ । ଏହାକୁ ନେଇ ଉତ୍ୟକ୍ତ ଜମାକାରୀ ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଛନ୍ତି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସାହାରା ଇଣ୍ଡିଆ ଲୋକଙ୍କୁ ଫିକ୍ସ ଡିପୋଜିଟ ଉପରେ ୬ ବର୍ଷରେ ଟଙ୍କା ଦ୍ଵିଗୁଣ ଲୋଭ ଦେଖାଇ କୋଟିକୋଟି ଟଙ୍କା ନେଇଥିଲା । ହେଲେ ଫିକ୍ସ ଡିପୋଜିଟ୍ ଅବଧି ଶେଷ ହୋଇଥିଲେ ସୁଦ୍ଧା ଜମାକାରୀଙ୍କୁ ସାହାରା ଇଣ୍ଡିଆ ମ୍ୟାଚୁରିଟି ଟଙ୍କା ଫେରାଉନଥିବା ଅଭିଯୋଗ ହୋଇଛି ।
ମ୍ୟାଚୁରିଟି ଟଙ୍କା ଫେରାଉନି ସାହାରା, ଅଫିସରେ ତାଲା ପକାଇଲେ ଜମାକାରୀ - କେନ୍ଦ୍ରାପଡ଼ାରେ ଜମାକାରୀଙ୍କ ଟଙ୍କା ଫେରାଇଲା ନାହିଁ ସାହାରା ଇଣ୍ଡିଆ
ଦୀର୍ଘଦିନ ଧରି ଜମା ଟଙ୍କାର ମ୍ୟାଚୁରିଟି ପୁରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ । ଏହାକୁ ନେଇ ଉତ୍ୟକ୍ତ ଜମାକାରୀ ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଛନ୍ତି । ଅଧିକ ପଢ଼ନ୍ତୁ
ଟଙ୍କା ନେବାପାଇଁ ବାରମ୍ବାର ସାହାରା ଇଣ୍ଡିଆ ଅଫିସକୁ ଆସି ନିରାଶ ହେଉଛନ୍ତି ଜମାକାରୀ । ଶେଷରେ ଆଜି(ସୋମବାର) ଶତାଧିକ ଜମାକାରୀ କେନ୍ଦ୍ରାପଡ଼ା ନୂଆ ବସ୍ଷ୍ଟାଣ୍ଡସ୍ଥିତ ସେକ୍ଟର ଅଫିସରେ ପହଞ୍ଚି ସେମାନଙ୍କ ଜମାଟଙ୍କା ଫେରାଇବାକୁ ଜିଦ୍ ଧରିଥିଲେ । ତେବେ ସେକ୍ଟର ମ୍ୟାନେଜର ଓ ଅନ୍ୟ ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଖାଲି ସେତିକି ନୁହେଁ ଅଫିସର କର୍ମଚାରୀ ଜମାକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଉତ୍ୟକ୍ତ ଜମାକାରୀ ସେକ୍ଟର କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।
ଯେପର୍ଯ୍ୟନ୍ତ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ନମିଳିଛି ସେପର୍ଯ୍ୟନ୍ତ ସେମାନେ ଏହି ତାଲା ଖୋଲିବେ ନାହିଁ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଜମାକାରୀ ଧାରଣାରେ ବସି ରହିବେ ବୋଲି କହିଛନ୍ତି । ସେପଟେ ସେବି(SEBI) ସାହାରାର ଟଙ୍କା ଦେଇନାହିଁ ଓ ନ୍ୟାୟାଳୟରେ ସାହାରା ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ମାମଲା ଚାଲିଥିବାରୁ ଟଙ୍କା ଦିଆଯାଇନଥିବା କଥା କହିଛନ୍ତି ସାହାରା ସେକ୍ଟର ଅଫିସର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ