କେନ୍ଦ୍ରାପଡ଼ା: ବିଶ୍ବରେ ମହାମାରୀ କୋରୋନା ଜନିତ ଲକଡାଉନ, ସଟଡାଉନ ପାଇଁ ଗ୍ରାମାଞ୍ଚଳର ପାରମ୍ପରିକ କଳାକାର ମାନେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । କୋରୋନାର ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ କେମିତି ପ୍ରତିପାଳିତ ହେବ ଏମାନଙ୍କ ପରିବାର ତାହାକୁ ନେଇ ସନ୍ଦିହାନ କେନ୍ଦ୍ରାପଡ଼ାର ମା’ ନିମ୍ବଦାରୁ କଣ୍ଢେଇ ନାଚ ପାର୍ଟିର କଳାକାର ।
ଦିନ ଥିଲା ଏହି କାଠ କଣ୍ଢେଇ ନାଚ ଦେଖିବାକୁ ଗାଁ ଶେଷ ମୁଣ୍ଡକୁ ଧାଇଁ ଆସୁଥିଲେ ଲୋକେ। ଖୁଲଣା ସୁନ୍ଦରୀ, ରାଜା ହରିଶ୍ଚନ୍ଦ୍ର, ବେଣୀ ବନ୍ଧନ, ସୀତା ଚୋରି ଭଳି ନାଟକକୁ ନିଜର କଣ୍ଢେଇ ନାଚ ମାଧ୍ୟମରେ ପହଞ୍ଚାଉଥିଲେ ଏହି କଳାକାର । ଉପରେ ସୁତା ବାନ୍ଧି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶୈଳୀରେ ଏହି କଣ୍ଢେଇମାନଙ୍କୁ ନଚାଉଥିବା କଳାକାର ଜାଣିଛି ଏହା କେତେ କଷ୍ଟଦାୟକ । କିନ୍ତୁ ଲୋକମାନଙ୍କ ମନୋରଞ୍ଜନ ପାଇଁ ସଦା ଚେଷ୍ଟିତ ଏମାନେ। କିନ୍ତୁ ଧିରେ ଧିରେ ଟିଭି ଓ ମୋବାଇଲ ଯୁଗରେ ଲୋକଙ୍କ ମାନସପଟରୁ କଣ୍ଢେଇ ନାଚର ଏହି ସୁନ୍ଦର କଳା ପାସୋରି ଯିବାକୁ ଲାଗିଲା ।
ଏହି କଣ୍ଢେଇ ନାଚର ମୁଖ୍ୟ ଦର୍ଶକ ହୋଇଥାନ୍ତି ଗାଁ ଗଣ୍ଡାର ଝିଅ ବୋହୂ। ଗୀତ ବାଜିଲେ ଲୋକମାନେ ଧାଇଁ ଆସିଥାନ୍ତି ହରିଶ୍ଚନ୍ଦ୍ର, ରୋହିତ, ବିଶ୍ଵାମିତ୍ର ଏବଂ ଆହୁରି ଅନେକ ଚରିତ୍ରର କଣ୍ଢେଇ ମାନଙ୍କ ନାଚ ଦେଖିବାକୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏକମାତ୍ର କଣ୍ଢେଇ ନାଚ ପାର୍ଟି ଭାବେ କୋରୋ ପାଳକଣା ଗାଁର ନିମ୍ବଦାରୁ କଣ୍ଢେଇ ନାଚ ପାର୍ଟିର ସାରା ରାଜ୍ୟରେ ସୁନାମ ରହିଥିଲା। ତେବେ ସମୟ ବଦଳିବା ସହ ଟିଭିର ଚାହିଦା ବୃଦ୍ଧି ଏମାନଙ୍କ ବୃତ୍ତି ଉପରେ ପ୍ରଭାବ ପକାଇବା ଆରମ୍ଭ କଲା। ତଥାପି ଯେମିତି ସେମିତି ଜୀବନ ଜୀବିକାକୁ ଆପଣେଇ ଚଳି ଯାଉଥିଲେ ଏହି ପାର୍ଟି ଉପରେ ନିର୍ଭର କରି ରହୁଥିବା 24ଜଣ କଳାକାର। ଏବେ କିନ୍ତୁ କୋରୋନା ଅନ୍ଧାରରେ ଏମାନଙ୍କ କାଠ କଣ୍ଢେଇ ସବୁ ବନ୍ଦ ହୋଇ ରହିଛନ୍ତି କାଠ ବାକ୍ସରେ ।