ଓଡିଶା

odisha

ETV Bharat / state

OTP ସେୟାର ନକଲେ ବି ଆକାଉଣ୍ଟରୁ ଟଙ୍କା ଗାଏବ, ସାଇବର ଲୁଟ୍‌ର ଶିକାର ହେଲେ ଯୁବକ - district cyber cell

କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳରୁ ସାମନାକୁ ଆସିଛି ବଡ ଧରଣର ସାଇବର ଠକେଇ ମାମଲା । ଯେଉଁଥିରେ OTP ସେୟାର କରିନଥିଲେ ସୁଦ୍ଧା ଆକାଉଣ୍ଟ ଖାଲି ହୋଇଯାଇଛି । ଅଧିକ ପଢନ୍ତୁ

ସାଇବର କ୍ରାଇମର ଶିକାର ହେଲେ ଯୁବକ
ସାଇବର କ୍ରାଇମର ଶିକାର ହେଲେ ଯୁବକ

By

Published : May 26, 2023, 5:33 PM IST

Updated : May 26, 2023, 10:26 PM IST

ସାଇବର କ୍ରାଇମର ଶିକାର ହେଲେ ଯୁବକ

କେନ୍ଦ୍ରାପଡ଼ା: ମୋବାଇଲକୁ ଲଗାତର ଆସିଲା ମେସେଜ । ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ହଜାର ହଜାର ଟଙ୍କା । ମୋବାଇଲ ଧରୁଧରୁ ଆଖି ପିଛୁଳାକେ ସଞ୍ଚିତ ଧନ ଗାଏବ ହୋଇଯାଇଛି । ଏଭଳି ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳରୁ । ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି କଳଦିଆ ଗ୍ରାମର ଧର୍ମେନ୍ଦ୍ର ପଣ୍ଡା ।

ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟ ସମୟରେ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଗୋଟିଏ ପରେ ଗୋଟିଏ କରି ଆସିଥିଲା ତିନୋଟି ମେସେଜ । ମେସେଜ ମୁତାବକ ତାଙ୍କର ଆଳି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟରୁ ପ୍ରଥମେ 19 ହଜାର 999 ଟଙ୍କା, ପରେ 1 ହଜାର 499ଟଙ୍କା ଓ ଶେଷରେ 1 ହଜାର 077ଟଙ୍କା କଟିଯାଇଥିଲା। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ କୌଣସି OTP ସେୟାର କରିନଥିଲେ । ଆକାଉଣ୍ଟରରୁ ଏତେ ପରିମାଣରେ ଅର୍ଥ କଟିବା ପରେ ଧର୍ମେନ୍ଦ୍ର ବିବ୍ରତ ହୋଇ ବ୍ୟାଙ୍କ ମାନେଜରଙ୍କୁ ସାକ୍ଷାତ କରିବା ପରେ ମ୍ୟାନେଜର ତାଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ୍‌ କରିଥିଲେ । ଏହାସହ ସମସ୍ତ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ଦେଇ ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ମ୍ୟାନେଜର ।

ଏନେଇ ଧର୍ମେନ୍ଦ୍ର ଆଳି ଥାନାର ଦ୍ବାରସ୍ଥ ହୋଇ ଠକେଇ ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ରାଜ୍ୟରେ ସାଇବର କ୍ରାଇମ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଇବର ଥାନା ଖୋଲାଯାଉଛି । ହେଲେ ସାଧାରଣ ଲୋକେ ବାରମ୍ବାର ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଏଭଳି ଘଟଣା ପରେ ଅପରାଧ ରୋକିବା ପୋଲିସ ବିଭାଗ ପାଇଁ ଚାଲେଞ୍ଜ ପାଲଟିଛି ।

ଗତ ତିନିମାସ ମଧ୍ୟରେ ଜିଲ୍ଲାର ବରିଷ୍ଠ ନାଗରିକ, ସାମରିକ କର୍ମଚାରୀ,ଗୃହିଣୀଙ୍କ ଭଳି ବିଭିନ୍ନ ବର୍ଗର ଲୋକେ ସାଇବର ଠକେଇର ଶିକାର ହେଉଥିବା ନଜିର ରହିଛି । ହେଲେ ଜିଲ୍ଲା ସାଇବର ସେଲ୍‌ ଠକଙ୍କ ପାଖରେ ପହଞ୍ଚିବା ତ ଦୂରର କଥା କୌଣସି ସୁରାକ ମଧ୍ୟ ପାଇପାରୁନାହାନ୍ତି । ସାଇବର ଠକ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉ ଥିବାବେଳେ ସାଇବର ଠକେଇରେ ବାହାର ରାଜ୍ୟର ଲିଙ୍କ୍ ମଧ୍ୟ ସାମ୍ନାକୁ ଆସୁଛି ।

ଏଥିରେ ନା ଜିଲ୍ଲା ପୋଲିସ ନା ରାଜ୍ୟ ସାଇବର ସେଲ୍ କୌଣସି ପଦକ୍ଷେପ ନନେବା ସୁରକ୍ଷା ବ୍ୟବସ୍ଥା ପ୍ରତି ସୃଷ୍ଟି କରୁଛି ପ୍ରଶ୍ନବାଚୀ । ତେବେ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଆସିଥିବା OTPକୁ ବିନା ସେୟାରରେ ମଧ୍ୟ ଆକାଉଣ୍ଟରୁ ଟଙ୍କା କେମିତି ଗଲା ସେନେଇ ଏବେ ସନ୍ଦେହ ଉପୁଜିଛି । ସାଇବର ଲୁଟେରାଙ୍କ ଏହି ଅଭିନବ ଶୈଳୀରେ ଲୁଟ୍ ଏବେ ବ୍ୟାଙ୍କରେ ଟଙ୍କା ରଖୁଥିବା ଜମାକାରୀଙ୍କୁ ଚିନ୍ତାରେ ପକାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

Last Updated : May 26, 2023, 10:26 PM IST

ABOUT THE AUTHOR

...view details