କେନ୍ଦ୍ରାପଡା:ପୁଅକୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ମା, ସ୍ବାମୀକୁ ହରାଇ କୋହ କମ୍ଭାଳିପାରୁନି ସ୍ତ୍ରୀ, ପାଖରେ ବସିଥିବା ୨ କୁନି ଶିଶୁ ଜାଣିପାରୁନାହାନ୍ତି କଣ ହୋଇଛି ବାପାଙ୍କର । କେନ୍ଦ୍ରାପଡାରେ ଜଣେ ଯବାନଙ୍କ ଅସ୍ବଭାବିକ ମୃତ୍ୟୁ ପରେ ଏବେ ଶୋକାକୁଳ ହୋଇଛି ପୁରାପରିବେଶ । ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ ଓ ଗ୍ରାମବାସୀ । କିଭଳି ଯବାନଙ୍କ ମୃତ୍ୟୁ ହେଲା ତାହା ଏବେ ସନ୍ଦେହ ଘେରରେ । ଅରଡ଼ପଲି ଗାଁର ଯବାନ ମିହିର ରଞ୍ଜନ ପଣ୍ଡା ଗତ ୧୮ ବର୍ଷ ହେବ ଛତିଶଗଡ଼ ୧୯୬ ବାଟାଲିଅନରେ କାର୍ଯ୍ୟରତ ଥିଲେ । ଗତ ୨୫ ତାରିଖରେ ମିହିରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶଶୁର ଘର ଲୋକେ କାହାକୁ ନ ଜଣାଇ ଛତିଶଗଡ଼ରୁ ନେଇ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ମିହିରଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଅଣାଯିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଅନ୍ୟପଟେ ଡାକ୍ତରଙ୍କ ବିନା ଡିସଚାର୍ଜ ପେପରରେ ରାତିଅଧିଆ ମିହିରଙ୍କ ମୃତଦେହକୁ ପୈତୃକ ବାସଭବନକୁ ଅଣାଯାଇଥିଲା । କିନ୍ତୁ ବ୍ୟବଚ୍ଛେଦ କରାନଯିବାରୁ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟପେଟ ପରିବାର ଲୋକଙ୍କୁ କିପରି ମିହିରଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଗଲା ନାହିଁ ସେନେଇ ପ୍ରଶ୍ନ କରିଛନ୍ତି ଗାଁ ଲୋକେ । ମିହିରଙ୍କ ଶ୍ୱଶୁର ସେ କାମ କରୁଥିବାବିଭାଗ ଉପରେ ଦୋଷାରୋପ କରିଛନ୍ତି ।