କେନ୍ଦ୍ରାପଡା: ଶହୀଦ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହେଲା ସାରା ସହର । ଆଖିରେ ଲୁହ ଓ ଛାତିରେ କୋହ ନେଇ ସିଆରପିଏଫ ଯବାନଙ୍କୁ ବିଦାୟ ଦେଇଛନ୍ତି ଆତ୍ମୀୟ ଓ ସୁନାଇଲୋ ଗାଁ । କାର୍ଯ୍ୟରତ ଥିବା ସମୟରେ ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତିଙ୍କ ବିୟୋଗ ହୋଇଛି । ପୌତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କେନ୍ଦ୍ରାପଡାର ସଂଗ୍ରାମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । 4 ବର୍ଷର ପୁଅ ମୁଖାଗ୍ନି ଦେଇଛନ୍ତି । ସଂଗ୍ରାମଙ୍କୁ ହରାଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳାଯାଇଛି ।
ଛତିଶଗଡ଼ ବିଜେପୁର ସ୍ଥିତ ସିଆରପିଏଫ କ୍ୟାମ୍ପରେ ଟ୍ରେନିଂରେ ଥିବେ କେନ୍ଦ୍ରାପଡାର ସଂଗ୍ରାମ ମହାନ୍ତି । ଗତ ବୁଧବାର ସକାଳେ ସିଆରପିଏଫ ହାବିଲଦାର ତଥା କେନ୍ଦ୍ରାପଡ଼ା ପୌରାଞ୍ଚଳ ଅଧିନ ସୁନାଇଲୋ ଗାଁର ସଂଗ୍ରାମ ମହାନ୍ତି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ କାରଣରୁ ସଂଗ୍ରାମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ପରିବାର ସମେତ ସମଗ୍ର କେନ୍ଦ୍ରାପଡା ଶୋକରେ ବୁଡିଛି ।
୨୦୦୧ ମସିହାରୁ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ ସଂଗ୍ରାମ । ତାଙ୍କ ମୃତଦେହ ଗୁରୁବାର ସୁନାଇଲୋ ଗାଁରେ ପହଞ୍ଚିବା ପରେ ଜିଲ୍ଲାର ଅନେକ ରାଜନେତା, ବୁଦ୍ଧିଜୀବୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଗ୍ରାମଙ୍କ ଦେହାନ୍ତ ଜିଲ୍ଲା ଓ ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା । ତାଙ୍କର ସାମାଜିକ ଦାୟିତ୍ୱ ବୋଧତା ଓ ଦେଶପ୍ରେମ ପାଇଁ ସମସ୍ତେ ତାଙ୍କୁ ମନେରଖିବେ ବୋଲି କହିଛନ୍ତି ବିଧାୟକ ।