କେନ୍ଦ୍ରାପଡା :କେନ୍ଦ୍ରାପଡା ଜିଲ୍ଲା ନୂଆ ବସଷ୍ଟାଣ୍ଡକୁ ଆସୁନି ବସ । ଏହି ବସଷ୍ଟାଣ୍ଡକୁ ନା ଆସୁଛି ସମସ୍ତ ବସ ନା କମୁଛି ଯାତ୍ରୀଙ୍କ ସମସ୍ୟା। ନୂଆ ବସଷ୍ଟାଣ୍ଡରେ କୁଢ଼କୁଢ଼ ମଇଳା, ଅଳିଆ ଆବର୍ଜନା ସାଙ୍ଗକୁ ବସଷ୍ଟାଣ୍ଡରେ ଟ୍ରକ ପାର୍କିଂ ଓ ଅସ୍ବାସ୍ଥ୍ୟକର ପରିବେଶ ଯାତ୍ରୀମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ସେଇଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗର କଲିକତା ଯାଉଥିବା ବସ ଗୁଡିକ ମଧ୍ୟରୁ ୯୦ ପ୍ରତିଶତ ବସ ବସଷ୍ଟାଣ୍ଡ ମଧ୍ୟକୁ ଆସୁନି । ୨୦୧୬ ମସିହାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବସଷ୍ଟାଣ୍ଡର ଉନ୍ନତିକରଣ କରାଯାଇଥିଲା । ଶୌଚାଳୟ, ପାନୀୟଜଳ ସହ ଯାତ୍ରୀ ବିଶ୍ରାମାଗାର ମଧ୍ୟ ନିର୍ମାଣ ହୋଇଥିଲା ।
ମାତ୍ର ୬ ବର୍ଷ ପରେ ଏସବୁ ମୂଲ୍ୟହୀନ ହୋଇପଡିଛି। ଗୋଷ୍ଠୀ ଶୌଚାଳୟ ଭାଙ୍ଗିରୁଜି ଯାଇଥିବା ବେଳେ ନିର୍ମାଣ ହୋଇଥିବା ଅନ୍ୟ ଶୌଚାଳୟରେ ଏବେ ଗଛଲତା ମାଡିଗଲାଣି। ଯାତ୍ରୀ ବିଶ୍ରାମାଗାର ଏବେ ବୁଲା ଗାଈଗୋରୁ ଓ କୁକୁର ମାନଙ୍କ ବାସସ୍ଥାନ ପାଲଟିଛି ।
ଅନ୍ୟପଟେ ଜିଲ୍ଲାର ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଆଦି ବ୍ଳକକୁ ଯାଉଥିବା ଘରୋଇ ଯାତ୍ରୀବାହୀ ବସଗୁଡିକ ବସଷ୍ଟାଣ୍ଡକୁ ନଆସି ତିନିମୁହାଣୀରୁ ବାଟ କାଟି ଚାଲିଯାଉଥିବାରୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଯାତ୍ରୀ। ଏଥିସହିତ ବସଷ୍ଟାଣ୍ଡକୁ ଅଣ ଓସାରିଆ ରାସ୍ତା ଓ ଜବରଦଖଲ ହୋଇଥିବା କାରଣରୁ କଲିକତା, କୋରାପୁଟ, ରାଉରକେଲା ଆଦି ଦୂର ସ୍ଥାନକୁ ଯାଉଥିବା ଅତ୍ୟାଧୁନିକ ବସଗୁଡିକର ଯଦିଓ ପରମିଟ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରହିଛି । ସେଗୁଡିକ ନୂଆ ବସଷ୍ଟାଣ୍ଡ ଆସିବା ପାଇଁ ମଙ୍ଗୁନଥିବା ଦେଖାଯାଉଛି । ଯେଉଁଥିପାଇଁ ସହରର କାକଟ, ବଡ଼ହାଟ,ଖଡ଼ିଅଙ୍ଗ ଆଦି ସ୍ଥାନ ମାନଙ୍କରୁ ବସଷ୍ଟାଣ୍ଡ ଆସୁଥିବା ଯାତ୍ରୀ ବାଧ୍ୟହୋଇ ୫୦ଟଙ୍କା ଖର୍ଚ୍ଚ କରି ତିନିମୁହାଣୀ ଯାଉଛନ୍ତି ।