ଓଡିଶା

odisha

ETV Bharat / state

ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର ଛୁଆ, ଆତଙ୍କିତ ଅଞ୍ଚଳବାସୀ

କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଭୟ । ଘର ପଛପଟ ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର ଛୁଆ । ଭୟରେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 15, 2023, 7:38 PM IST

crocodile rescued from a pond
crocodile rescued from a pond

କେନ୍ଦ୍ରାପଡା: ଆତଙ୍କ ଖେଳାଇ ଚାଲିଛି କୁମ୍ଭୀର । କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଭୟ । କେତେବେଳେ ଜାଲରେ ପୁଣି କେତେବେଳେ ପୋଖରୀରେ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଅନେକ ସମୟରେ କୁମ୍ଭୀର ଧରା ହେଉଥିବା ନଜିର ରହିଛି । ଗତକାଲି ସନ୍ଧ୍ୟାରେ ଜାତୀୟ ଉଦ୍ୟାନ ସୀମା ସରହଦରେ ଥିବା ନଳିତାପାଟିଆ ଗାଁର ଜଗନ୍ନାଥ ଦାସଙ୍କ ଘର ପଛ ପୋଖରୀରୁ ୩ ଫୁଟ ଲମ୍ବର ଏକ ମାଈ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି ।

ତେବେ ଗତକାଲି ସନ୍ଧ୍ୟାରେ ଜଗନ୍ନାଥଙ୍କ ପରିବାରର ଜଣେ ସଦସ୍ୟ କୌଣସି କାମ ପାଇଁ ଘର ପଛପଟକୁ ଯାଇଥିବା ବେଳେ ଏହି କୁମ୍ଭୀର ଛୁଆଟିକୁ ପୋଖରୀ ମଧ୍ୟରେ ଦେଖିବାକୁ ପାଇଥିଲେ । କୁମ୍ଭୀର ଛୁଆ ଦେଖି ଡାକ ପକାଇବାରୁ ଗାଁ ଲୋକେ ଆସି ବନବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗୀୟ ଟିମ୍‌ ଆସି ପୋଖରୀରେ ଜାଲ ବସାଇ ଉକ୍ତ କୁମ୍ଭୀର ଛୁଆଟିକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀରେ ଛାଡିଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଟିମରେ ଯଶୋବନ୍ତ ବେହେରା, ମନୋରଞ୍ଜନ ବେହେରା, ନଣ୍ଡା ସେଠି ପ୍ରମୁଖ ସାମିଲ ହୋଇଥିଲେ । ଗତ ଜୁଲାଇ ମାସରେ ରାଜନଗର ବ୍ଲକ ଭେକଟା ଗାଁର ଭାନୁ ଗିରିଙ୍କ ପୋଖରୀ ମଧ୍ୟରୁ ୬ ଫୁଟ ଲମ୍ବର ଏକ କୁମ୍ଭୀର ଉଦ୍ଧାର ହୋଇଥିଲା । ସେହିପରି ସେପ୍ଟେମ୍ବର ମାସରେ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ବ୍ରାହ୍ମଣୀ ନଦୀରେ ମାଛଧରା ଜାଲରେ ୫ ଫୁଟ ଲମ୍ବର ଏକ କୁମ୍ଭୀର ଫସି ରହି ପରେ ବନବିଭାଗ ଦ୍ୱାରା ଉଦ୍ଧାର ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଜୁନ ମାସରୁ ଅଦ୍ୟାବଧି ୫ରୁ ଉର୍ଦ୍ଧ୍ବ ଜଣଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ନଦୀରେ ରହୁଥିବା କୁମ୍ଭୀର ଏବେ ଗାଁ ଗଣ୍ଡାରେ ପଶିବା ସହ ନିତିଦିନିଆ ବ୍ୟବହୃତ ପୋଖରୀ ମଧ୍ୟରେ ରହୁଥିବାରୁ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ୫ ଫୁଟିଆ କୁମ୍ଭୀର ଉଦ୍ଧାର

ପୂର୍ବରୁ କେନ୍ଦ୍ରାପଡାର ରାଜନଗର ବ୍ଳକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର କରାଯାଇଥିଲା । ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ର ନାମକ ବ୍ୟକ୍ତିଙ୍କ ଘର ପଛପଟରେ ଏକ କୁମ୍ଭୀର ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀଙ୍କୁ ଖବର ଦେବା ପରେ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ଏହା ସମ୍ଭବପର ହୋଇପାରିନଥିଲା । ପରେ ଘଟଣାସ୍ଥଳରେ ବନବିଭାଗର ଏକ ଟିମ ପହଞ୍ଚି ବହୁ ସମୟ ପରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । କୁମ୍ଭୀରକୁ ନେଇ ବାଉଁଶଗଡ ନଦୀରେ ଛଡ଼ାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details