ଓଡିଶା

odisha

By ETV Bharat Odisha Team

Published : Sep 24, 2023, 8:41 PM IST

ETV Bharat / state

ବିଜୁ ସେତୁ ଯୋଜନାରେ ଦୁର୍ନୀତି ଗନ୍ଧ, ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ସଂଯୋଗୀକରଣ ରାସ୍ତା

ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଦ୍ଵିତୀୟ ଗୋବରୀ ବାଇପାସ ସେତୁର ଗାର୍ଡର ଭାଙ୍ଗିବା ଘଟଣା ପରେ ଘନେଇଛି ଆଉ ଏକ ବିପଦ । ବିଜୁ ସେତୁର ସଂଯୋଗୀକରଣ ରାସ୍ତା ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଅଧିକ ପଢନ୍ତୁ

corruption in biju setu yojana
ମରଣଜନ୍ତା ପାଲଟିଛି ବିଜୁ ସେତୁ ସଂଯୋଗୀକରଣ ରାସ୍ତା

ମରଣଜନ୍ତା ପାଲଟିଛି ବିଜୁ ସେତୁ ସଂଯୋଗୀକରଣ ରାସ୍ତା

କେନ୍ଦ୍ରାପଡ଼ା: ବିପଦଶଙ୍କୁଳ ଅବସ୍ଥାରେ ବିଜୁ ସେତୁକୁ ସଂଯୋଗ କରୁଥିବା ରାସ୍ତା । ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଦ୍ଵିତୀୟ ଗୋବରୀ ବାଇପାସ ସେତୁର ଗାର୍ଡର ଭାଙ୍ଗିବା ଘଟଣା ଜିଲ୍ଲାବାସୀଙ୍କ ମନରୁ ନ ଲିଭୁଣୁ ଏବେ ଆଉ ଏକ ବିପଦ ଘନେଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଶେଷ ହୋଇଥିଲେ ମଧ୍ୟ ଏବେ ଏହାର ସଂଯୋଗୀକରଣ ରାସ୍ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ବିରୋଧ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଲୋକେ ।

ସୂଚନା ଅନୁସାରେ, ଇଂରେଜ ଅମଳର ନିଚ୍ଚା ପୋଲକୁ ନେଇ ଅସୁବିଧା ଭୋଗୁଥିଲେ ଅଞ୍ଚଳବାସୀ । ବର୍ଷାଦିନେ ଗୋବରୀ ନଦୀରେ ଜଳସ୍ତର ବୃଦ୍ଧି ହେବା କ୍ଷଣି ଡ୍ରେନେଜ କଟ୍(ପାଟନାଳୀ)ରେ ପାଣି ଓ ଦଳ ଆସି ଚାଷ ଜମିକୁ କ୍ଷତିଗ୍ରସ୍ତ କରୁଥିଲା । ଶହଶହ ହେକ୍ଟର ଜମି ଜଳମଗ୍ନ ହେବା ଓ ନିଚ୍ଚା ପୋଲରେ ପାଣି ଚାଲୁଥିବାରୁ ଯାତାୟତରେ ଅସୁବିଧା ଭୋଗୁଥିଲେ ଲୋକେ । ତେବେ ଅଞ୍ଚଳବାସୀଙ୍କ କଷ୍ଟକୁ ଲାଘବ କରିବା ପାଇଁ ୨୦୨୦ ମସିହାରେ ଡେରାବିଶ୍ ବ୍ଲକ ଚାଟରା ଚକଡ଼ା ପଞ୍ଚାୟତର ଫକିରାବାଦ ଠାରେ ବିଜୁ ସେତୁର ଶିଳାନ୍ୟାସ କରିଥିଲେ ପାଟକୁରା ବିଧାୟିକା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଥିବାବେଳେ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଥିଲା।

ଏନେଇ ବେଲାରପୁର ବାସିନ୍ଦା ବିଶ୍ୱଭୂଷଣ ପଢ଼ିଆରୀ କହିଛନ୍ତି, "କାମ ଆରମ୍ଭ ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଫଳକ(Information Board) କିମ୍ବା ନାଗରିକ ଫଳକ(Citizen Board) ଲାଗିନଥିଲା । ତରବରିଆ ଭାବେ ବିଭାଗ ଓ ସମ୍ପୃକ୍ତ ଠିକାଦାର କାମ ଶେଷ କରି ଦେଇଥିବାବେଳେ ବିଜୁ ସେତୁର ଉଦଘାଟନ ପାଇଁ ବ୍ୟଗ୍ର ହୋଇ ସେତୁର ଉଭୟ ପାର୍ଶ୍ଵରେ ରଙ୍ଗ ଲଗାଇ ଦେଇଥିଲେ । ମାତ୍ର ଉଦଘାଟନର କିଛି ଦିନ ଆଗରୁ ବର୍ଷା ଆରମ୍ଭ ହେବା ଯୋଗୁଁ ଉଭୟ ଠିକାଦାର ଓ ବିଭାଗର ଅସଲ ମୁଖା ସାମ୍ନାକୁ ଆସିଯାଇଥିଲା । ବିଜୁ ସେତୁର ଉଭୟ ପାର୍ଶ୍ଵ ସଂଯୋଗୀକରଣ ରାସ୍ତା ହଠାତ ଦବିଯାଇ ଭୁଶୁଡି ପଡିଥିଲା । ଏହି ବିପଦ ସଙ୍କୁଳ ରାସ୍ତା ଯୋଗୁ ଅନେକ ଗୋରୁ ଗାଈଙ୍କ ଜୀବନ ଯାଇଥିବାବେଳେ ଜଣେ ଛାତ୍ର ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ ।"

2019 ଉପନିର୍ବାଚନ ସମୟରେ ବିଜୁବାବୁଙ୍କ କର୍ମଭୂମି ପାଟକୁରାର ଦାୟିତ୍ୱ ନେବା କଥା କହିଥିଲେ ମୁଖ୍ୟମନ୍ତ୍ରୀ । ସେହି ପାଟକୁରା ନିର୍ବାଚନ ମଣ୍ଡଳୀର ବିଜୁଙ୍କ ନାମରେ ନାମିତ ସେତୁ କାର୍ଯ୍ୟରେ କୋଟିକୋଟି ଟଙ୍କା ସରକାର ପ୍ରଦାନ କରିଥିବାବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସଂଯୋଗୀକରଣ ରାସ୍ତାର ଉଭୟ ପାର୍ଶ୍ଵ ଫାଟି ଆଁ କରିଥିବା ବେଳେ ସେତୁକୁ ସୁଦୃଢ଼ କରି ରଖିବା ପାଇଁ ହୋଇଥିବା ପଥର ସ୍ପର ଏବେ ୧୯ ନଂ ଡ୍ରେନେଜ କଟର ପାଣି ଗର୍ଭରେ ରହିଛି ।

ଏହା ବି ପଢନ୍ତୁ...ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଅନ୍ୟପଟେ ଉକ୍ତ ରାସ୍ତା ଦେଇ ପ୍ରତିଦିନ ଓଲଢ଼ି,ଫକିରାବାଦ, ବେଲାରପୁର, ନୋଳସାହି, ବେଣୀପୁର, ବଜାର, ଚାଟରା ଚକଡ଼ା ଆଦି ଗ୍ରାମର ହଜାର ହଜାର ଲୋକେ ଯାତାୟତ କରୁଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ବାଜିରେ ଲାଗିଛି । ତେବେ ଏନେଇ ଉଭୟ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କେହି ମୁହଁ ଖୋଲି ନାହାନ୍ତି । ଅପରପକ୍ଷେ, "ଏହି କାମକୁ ମିଳିମିଶି ସମସ୍ତେ ସଜାଡ଼ିବାକୁ ଉଦ୍ୟମ କରିବା ଆବଶ୍ୟକ" ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ବ୍ରିଜ ଡ୍ୟାମେଜ କଥାକୁ ସ୍ବୀକାର କରିବା ସହ ମରାମତି ପାଇଁ ଏଜେନ୍ସି ଟଙ୍କା ଦେବ କହି ସଫେଇ ଦେଇଛନ୍ତି ଅଧିକ୍ଷଣ ଯନ୍ତ୍ରୀ ରାଜେଶ ପ୍ରଧାନ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details