କେନ୍ଦ୍ରାପଡା: ରାଜ୍ୟର ସର୍ବ ପୁରାତନ ଏବଂ ପ୍ରଥମ ପୌରପାଳିକା ଉପରେ ଏବେ ସର୍ବ ବୃହତ୍ତ ଦୁର୍ନୀତିଗ୍ରସ୍ତ ପୌରପାଳିକାର ଟ୍ୟାଗ୍ ଲାଗିଲାଣି । ଦୀର୍ଘଦିନ ଧରି ଏଠାକାର କର୍ମଚାରୀଙ୍କ ବଦଳି ହେଉନଥିବାରୁ ଦୁର୍ନୀତିର ଚେର ଭିତରକୁ ଲମ୍ବିଥିବା ଅଭିଯୋଗ ହୋଇଛି । ଜଣେ ଜଣେ କର୍ମଚାରୀ ଏଠାରେ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଛନ୍ତି । କର୍ମଚାରୀଙ୍କ ମଧ୍ୟରେ 'ରାଧେ ରାଧେ, ତମର ଅଧେକୁ ଆମର ଅଧେ' ଏହି ଆଧାରରେ ଦୁର୍ନୀତି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଆମେ କହୁଛୁ ରାଜ୍ୟର ସର୍ବ ପୁରାତନ ପୌରପାଳିକା କେନ୍ଦ୍ରାପଡା କଥା ।
ବିଭିନ୍ନ ସମୟରେ ବିବାଦ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପିଛା ଛାଡୁ ନ ଥିବାବେଳେ ଏବେ ସୂଚନା ଅଧିକାର ଆଇନରୁ ମିଳିଛି ଆଶ୍ଚର୍ଯ୍ୟକର ତଥ୍ୟ । ଏଠାକାର କର୍ମଚାରୀଙ୍କ ଆଦୌ ବଦଳି ହୋଇନାହିଁ । କେତେକ ଏହିଠାରେ ଚାକିରି ଆରମ୍ଭ କରି ଅବସର ନେବାକୁ ବସିଲେଣି ତ ଆଉ କେତେ ଜଣ 10 ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାରେ ଅଛନ୍ତି । କୌଣସି କର୍ମଚାରୀ 3 ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସରେ ରହିପାରିବେ ନାହିଁ ବୋଲି ନିର୍ଦ୍ଧାରିତ ଆଇନ ଥିବାବେଳେ ଏପରି କ୍ଷେତ୍ରରେ ମ୍ୟୁନିସିପାଲିଟି କର୍ମଚାରୀଙ୍କ ବଦଳି ନହେବା ଏକପ୍ରକାର ସନ୍ଦେହ ସୃଷ୍ଟି କରିଛି । ସୂଚନା ଅଧିକାର ଆଇନ ବଳରେ ଗତ ମେ ୨୨ ତାରିଖ ଦିନ ମ୍ୟୁନିସିପାଲିଟିରେ କାର୍ଯ୍ୟରତ କର୍ମଚାରୀଙ୍କ ତଥ୍ୟ ମଗାଯାଇ ଥିବାବେଳେ ଜନ ସୂଚନା ଅଧିକାରୀ(PIO)ଙ୍କ ପକ୍ଷରୁ ଏହାର ଉତ୍ତର ଜୁନ ୨୪ତାରିଖ ଦିନ ଲିଖିତ ଭାବେ ପ୍ରଦାନ କରାଯାଇଛି । ତେବେ ମ୍ୟୁନିସିପାଲିଟି ଅଧୀନରେ ୱାର୍କଚାର୍ଜ ଭାବେ କାମ କରୁଥିବା ଅମର ନାୟକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନାହିଁ ମ୍ୟୁନିସିପାଲିଟି ଯାହାକି ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ଭଳି ଅଭିଯୋଗ ଆସିଛି । ଅମର ଜଣେ କର୍ମତତ୍ପର କର୍ମଚାରୀ ଓ ଅନେକ ସମୟରେ ମ୍ୟୁନିସିପାଲିଟିରେ ହେଉଥିବା ଦୁର୍ନୀତିକୁ ବିରୋଧ କରୁଥିବାରୁ ଜାଣିଶୁଣି ତାଙ୍କ ନାମକୁ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ବିରୋଧି ଦଳ ।