ଓଡିଶା

odisha

By

Published : Jan 30, 2020, 11:55 PM IST

Updated : Jan 31, 2020, 1:33 AM IST

ETV Bharat / state

ଘୋଟାଲାର ଗନ୍ତାଘର ପଟ୍ଟାମୁଣ୍ଡାଇ ମହିଳା କଲେଜ, ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

ଧିରେ ଧିରେ ଫିଟିବାରେ ଲାଗିଛି ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଗୁମର । ପୂର୍ବରୁ ଅଧ୍ୟକ୍ଷାଙ୍କ ନିଯୁକ୍ତି ଘଟଣା ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବର୍ତ୍ତମାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ବାବୁଗିରି ଘଟଣା ସାମ୍ନାକୁ ଆସିଛି। ଅଧିକ ଖବର ପଢନ୍ତୁ...

Pattamundai women's college issue
ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

କେନ୍ଦ୍ରାପଡା: ପୁଣି ଚର୍ଚ୍ଚାରେ ପଟ୍ଟାମୁଣ୍ଡାଇ ମହିଳା ବିଦ୍ୟାଳୟ । ପ୍ରଥମେ ନିଯୁକ୍ତିରେ ଚଞ୍ଚକତା ଆଉ ଏବେ ଜଣେ କନିଷ୍ଠ କିରାଣୀଙ୍କୁ ଟାର୍ଗେଟ କରି ବହିଷ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ମହାବିଦ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ପଣ୍ଡା ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ ।

ଘୋଟାଲାର ଗନ୍ତାଘର ପଟ୍ଟାମୁଣ୍ଡାଇ ମହିଳା କଲେଜ, ବଡବାବୁଙ୍କ ଟାର୍ଗେଟରେ କନିଷ୍ଠ କିରାଣୀ

ଏକ ଜମିକିଣା ଘଟଣାରେ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ସଞ୍ଜୟ ପଣ୍ଡାଙ୍କୁ ଚିଠି ନଂ 7497/22.12.2018ରେ ବରଖାସ୍ତ କରାଯାଇଥିବା ମହିଳା ମହାବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ପରେ ଗତ 10.01.2019ରିଖରେ ଅଧ୍ୟକ୍ଷା ଚିଠି ନଂ-161ରେ ସଞ୍ଜୟଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସମ୍ବନ୍ଧରେ କୌଣସି ଅଭିଯୋଗ କିମ୍ବା ପ୍ରମାଣ ନଥିବା ଦର୍ଶାଇ ସଞ୍ଜୟଙ୍କ ବରଖାସ୍ତକୁ ପୁନଃବିଚାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତିଙ୍କୁ ଦରଖାସ୍ତ ଲେଖିଥିଲେ । ହେଲେ ଏପର୍ଯ୍ୟନ୍ତ ପୁନଃବିଚାର ହୋଇନଥିବାରୁ ଚାକିରି ହରାଇ ବସିଛନ୍ତି ସଞ୍ଜୟ ।

ଗାଇଡ ଲାଇନ ଅନୁସାରେ, କଲେଜ ପାଇଁ ଜମି କିଣା ଗଲେ ପରିଚାଳନା କମିଟି ସଭାପତିଙ୍କ ଅନୁମତି ଦରକାର ପଡିଥାଏ ଓ ଏହି ଅନୁମତି କଲେଜ ପରିଚାଳନା କମିଟି ସମ୍ପାଦକ ତଥା ସମ୍ପୃକ୍ତ କଲେଜର ଅଧ୍ୟକ୍ଷା ସଭାପତିଙ୍କ ଠାରୁ ଆଣିବାକୁ ପଡିଥାଏ । ହେଲେ ସେ ସମୟରେ ଏସବୁ ହୋଇନଥିବାରୁ ଆକାଉଣ୍ଟାଣ୍ଟ ଭାବରେ ଟଙ୍କା ଦେବାକୁ ପ୍ରଥମେ ଅମଙ୍ଗ ହୋଇଥିଲେ ସଞ୍ଜୟ । ତେବେ ପୂର୍ବତନ ସଭାପତିଙ୍କ ଅନୁମତି ପତ୍ର ଥିବା ଓ ବିଭିନ ପ୍ରକାର ଚାପ ପକାଇ ଅଧ୍ୟକ୍ଷା, ଆକାଉଣ୍ଟାଣ୍ଟ ସଞ୍ଜୟଙ୍କୁ କଲେଜ ଆକାଉଣ୍ଟରୁ 5,50,000ଟଙ୍କା ଭାଉଚର କରାଇ ନେଇଥିଲେ । ଫଳରେ ଅନିୟମିତତା ଅଭିଯୋଗରେ ସଞ୍ଜୟଙ୍କୁ ବହିଷ୍କାର କରାଯାଇଛି ।

ଅନ୍ୟପଟେ ଦୀର୍ଘ 1ବର୍ଷରୁ ଊର୍ଦ୍ଧ୍ଵ ସମୟ ଚାକିରୀ ହରାଇ ସଞ୍ଜୟ ବାରମ୍ବାର ନ୍ୟାୟ ପାଇଁ ଦୌଡୁଥିଲେ ମଧ୍ୟ ପ୍ରଶାସନ ତାଙ୍କ ଗୁହାରି ଶୁଣିବା ବଦଳରେ ଦେଉଛନ୍ତି ମାନସିକ ନିର୍ଯାତନା ଯାହା ସଞ୍ଜୟ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସେହିପରି ଆର୍ଥିକ ଅନିୟମିତତା ହେଲେ ଏକ ତଦନ୍ତ କମିଟି ବସାଇ ତଦନ୍ତ ହେବା ଓ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପ୍ରାବଧାନ ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ସଞ୍ଜୟଙ୍କ ବିରୋଧରେ କୌଣସି କମିଟି ତଦନ୍ତ କରିନଥିବା ଓ କାରଣ ଦର୍ଶାଅ ନୋଟିସ ଜାରି କରିନଥିବା କହିଛନ୍ତି ସଞ୍ଜୟ । କେବଳ ଅତିରିକ୍ତ ଜିଲ୍ଲାପାଳ ନିଜର ବାବୁଗିରି ପାଇଁ ତାଙ୍କୁ ବହିଷ୍କାର କରିଥିବା ଅଭିଯୋଗ ଆଣିଛନ୍ତି ସେ ।

ବଡକଥା ହେଉଛି, ଜମିକିଣାରେ କଲେଜର ଅଧକ୍ଷା ମଧ୍ୟ ସମ୍ପୃକ୍ତ ଥିବାବେଳେ କେବଳ ତଳିଆ କର୍ମଚାରୀଙ୍କୁ କାହିଁକି ବରଖାସ୍ତ କରାଗଲା ? ଅନ୍ୟପଟେ କଲେଜରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ଲୋକପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି। ଆସନ୍ତା ଫେବୃୟାରୀ 7ରେ ଲୋକପାଳଙ୍କ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ସମେତ 7ଟି ପକ୍ଷଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ରହିଛି। ତେବେ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି ବସନ୍ତ ରାଉତଙ୍କୁ ପଚାରିବାରୁ ସେ ଅଲଗା କାରଣ ପାଇଁ ସଞ୍ଜୟଙ୍କୁ ବହିଷ୍କାର କରାଯାଇଥିବା କହିଛନ୍ତି । କେବେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ତାହାକୁ ସମସ୍ତଙ୍କ ଅପେକ୍ଷା ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 31, 2020, 1:33 AM IST

ABOUT THE AUTHOR

...view details