କେନ୍ଦ୍ରାପଡା: କୋଭିଡ-19 ଜନିତ ଲକଡାଉନ ପାଇଁ ବୃତ୍ତିହରା ହୋଇଗଲେଣି ବୁଣାକାର ପରିବାର। ଆବଶ୍ୟକୀୟ କଞ୍ଚାମାଲ ଅଭାବ ସାଙ୍ଗକୁ ବଜାରରେ ଶାଢ଼ୀ ବିକ୍ରିର ଅସୁବିଧା ପଡିଛି ଏମାନଙ୍କ ତେଲଲୁଣ ସଂସାର ଉପରେ। କୋଭିଡ-19 କୋରୋନା ସଂକ୍ରମଣ ଭୟ ଯୋଗୁଁ ଲକଡାଉନ ସାରା ଦେଶ।ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୨୩ତାରିଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଲାବନ୍ଦ ହେବାପରେ ବାନ୍ଧ ଶାଢ଼ୀ ତିଆରି ପାଇଁ ବରଗଡ଼,ଖୋର୍ଦ୍ଧା,ମାଣିଆବନ୍ଧରୁ ଆସୁଥିବା ସୂତା ଓ ରଙ୍ଗ ଆମଦାନୀ ବନ୍ଦ ହୋଇଥିଲା। ଏପରି ସଙ୍କଟମୟ ସ୍ଥିତିରେ କେନ୍ଦ୍ରପଡାର 2ହଜାର ବୁଣାକାର ପରିବାରଙ୍କୁ କର୍ମହରା କରିଦେଇଛି କୋରୋନା । ଜୀବିକା ଯାଇଛି, ଜୀବନ ବଞ୍ଚାଇବା କଷ୍ଟ ହୋଇପଡିଛି ।
କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ହଜାର ବୁଣାକାର ପରିବାରଙ୍କ ହାତ ତିଆରି ବାନ୍ଧକାମ, ବହୁରଙ୍ଗୀ ପାଟ ଶାଢୀ ବେଶ ନାମକରା । ବ୍ଲକର ହରିପୁର,କୋରୁଆ,କଳାବୁଦା,ବରହମପୁର,କଉଡ଼ିଆବରେହି,ଅଟାବୁହା,ପୁନ୍ଦାଳୋ ଆଦି ଗାଁର ପ୍ରାୟ ୨୦୦୦ ପରିବାର ବୁଣାକାର କାମ କରି ପେଟ ପୋଷିଥାନ୍ତି। ହାତବାନ୍ଧ ଶାଢ଼ୀ,ମାଣିଆବନ୍ଧ ଶାଢ଼ୀ ଏହି ଅଞ୍ଚଳକୁ ଦେଇଛି ଭିନ୍ନ ଏକ ପରିଚୟ। ଏଠାକାର ଶାଢ଼ୀର ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ରହିଥିବା ବେଳେ ବର୍ତ୍ତମାନ କୋରୋନା ଜନିତ ଲକଡାଉନ ପାଇଁ ହାତ ବାନ୍ଧି ବସିଛନ୍ତି ବୁଣାକାର। ଘରେ ଯାହା ଯେତିକି ଥିଲା ସେତକ ଶେଷ ହେବା ପରେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି ଏହି ବୁଣାକାର ଗୋଷ୍ଠୀ।ସ୍ଥାନୀୟ ତନ୍ତ ସମବାୟ ସହଯୋଗ ସମତିରୁ ଋଣ କରି ତନ୍ତ ପକାଇଥିବା ଏହି କାରିଗର ମାନଙ୍କ ଠାରୁ ବସ୍ତ୍ର କ୍ରୟ କରିବାକୁ ଅମଙ୍ଗ ହେଉଛି ସମବାୟ ସହଯୋଗ ସମିତି କାରଣ ଯାହା ଶାଢ଼ୀ ରହିଛି ତାହା ଏଯାବତ ବିକ୍ରି ହୋଇପାରିନାହିଁ।
ଲୁଗାଟିଏ ଭିଣା ଯିବା ପରେ ସମବାୟ ସମିତି କିମ୍ବା ସ୍ଥାନୀୟ ବିଲହାଟ,କେନ୍ଦ୍ରାପଡ଼ା,କଟକ,ପୁରୀ ଆଦି ସ୍ଥାନରେ ବିକ୍ରି ପାଇଁ ଏହାର ବଜାର ପୁର୍ବରୁ ସଠିକ ରହୁଥିଲା।ଗୋଟିଏ ଶାଢ଼ୀ ଭିଣିବା(ତିଆରି କରିବା)ପାଇଁ ଗୋଟିଏ ବୁଣାକାର ପରିବାରର ଅନ୍ୟୁନ୍ୟ ୫ଜଣ ସଦସ୍ୟଙ୍କୁ ଗୋଟିଏ ଦିନ ଲାଗିଥାଏ, ଯେତେବେଳେ କି ପ୍ରାପ୍ୟ ବାବଦକୁ ଏମାନଙ୍କୁ ଗୋଟିଏ ଶାଢ଼ୀ ତିଆରିରେ ମିଳିଥାଏ ୪୦୦ ରୁ ୫୦୦ ଟଙ୍କା। ପଶ୍ଚିମ ଓଡିଶାର ସମ୍ବଲପୁରୀ ଶାଢ଼ୀ ସହିତ ତାଳଦେଇ ଏହା ବିକ୍ରି ହେବାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ସ୍ୱଳ୍ପ ପ୍ରାପ୍ୟ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ହୁଏନାହିଁ କିନ୍ତୁ କୌଳିକ ବୃତ୍ତି ଭାବରେ ଏହାକୁ ପୁର୍ବରୁ କରିଆସୁଥିବାରୁ ଏହାକୁ ଛାଡି ପାରିନାହାନ୍ତି ବୁଣାକାର ପରିବାର।