କେନ୍ଦ୍ରାପଡ଼ା:ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ । କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ । ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ଏବଂ ଆୟ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା କରାଯାଇଥିଲା । କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଏହାର ମାଲିକାନାକୁ ନେଇ ବିବାଦ ଉଠିଛି । ସେପଟେ ବିବାଦ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।
୨୦୧୯ ମସିହାରେ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ ଦୁଇକୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିବର୍ଷ ନଭେମ୍ବର ୫ ତାରିଖରେ ଆଉ ସାଢ଼େ ଆଠ କୋଟି ଟଙ୍କା ମନ୍ଦିରର ବିକାଶ ପାଇଁ ମଞ୍ଜୁର କରିଥିଲେ । ଏହାରି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ମନ୍ଦିର ବିକାଶ କାର୍ଯ୍ୟ ଅଧା ହୋଇ ପଡ଼ି ରହିଛି । ମନ୍ଦିରର ପାର୍ଶ୍ଵରେ ଥିବା ଆଧ୍ୟାତ୍ମିକ ପାର୍କ କାମ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ପାର୍କରେ ଏବେ ତାଲା ଝୁଲୁଛି ।
ସେହିପରି ମନ୍ଦିରର ସୁରକ୍ଷା ପାଇଁ ୪୮ଟି ସିସିଟିଭି ଖଞ୍ଜାଯିବା କାର୍ଯ୍ୟ ସମାପନ ହୋଇଥିବା ବେଳେ ୧୩୬ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କାରଯାଇଥିଲା । ତେବେ ଏହି ଷ୍ଟ୍ରିଟ୍ ଲାଇଟ କେବେକେବେ ଜଳୁଥିବା ଦେଖା ଯାଇଛି । ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅପେକ୍ଷାରେ ଥିବା ଦେବୋତ୍ତର ବିଭାଗର କଲ୍ୟାଣ ମଣ୍ଡପକୁ ନେଇ ଟଣାଓଟରା ଆରମ୍ଭ ହୋଇଛି । ମୋଟ ୧ କୋଟି ୪୬ ଲକ୍ଷ ୮ ହଜାର ୪୪୩ ଟଙ୍କାର ନିର୍ମିତ ଏହି କଲ୍ୟାଣ ମଣ୍ଡପଟି ବଳଦେବଜୀଉ ଦେବୋତ୍ତର ବିଭାଗର ୪୫ ଡେସିମିଲ୍ ଜମି ଉପରେ ନିର୍ମିତ । ପୂର୍ତ୍ତ ବିଭାଗ କାମ ଶେଷ କରି ଏହି କଲ୍ୟାଣ ମଣ୍ଡପ ପରିଚାଳନା ଦାୟିତ୍ବ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚିଠି କରାଯାଇଥିବା ନେଇ କୌଣସି ସୂତ୍ରରକୁ ଖବର ପାଇବା ପରେ ଏବେ ଭକ୍ତ ଉଠାଇଛନ୍ତି ତୁମ୍ବି ତୋଫାନ ।