କେନ୍ଦ୍ରାପଡା:କେନ୍ଦ୍ରାପଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । କୋଭିଡ ମହାମାରୀ ସମୟରେ ବ୍ୟବସାୟ ପାଇଁ ଆଶା ଆଶଙ୍କାରେ ଥିବା ମହିଳାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦେଇଛି ଉତ୍ସାହଜନକ ବ୍ୟବସାୟ । ସାତଦିନ ବ୍ୟବସାୟରେ ମେଳାରେ ଥିବା ୭୦ଟି ଷ୍ଟଲରେ ବିକ୍ରି ହୋଇଛି ପ୍ରାୟ ୭୦ଲକ୍ଷ ଟଙ୍କାର ସାମଗ୍ରୀ । କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (SSG)ର ସଦସ୍ୟାମାନେ ଜିନିଷ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଛନ୍ତି ।
ମେଳାରେ ମୁଖ୍ୟ ଆକର୍ଷଣ ତଥା ଚାହିଦା ରହିଥିଲା ପଶ୍ଚିମ ଓଡିଶାର ସାମଗ୍ରୀ ମୁଖ୍ୟତଃ କଳାହାଣ୍ଡି ଓ କନ୍ଧମାଳର ହଳଦୀ, ଝୁଣା, ଲାଖ, ମହୁ, ମସଲା ଜାତୀୟ ସାମଗ୍ରୀର । ତେବେ ପ୍ରତିବର୍ଷ ହେଉଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ (Cultural events) ଚଳିତବର୍ଷ କୋଭିଡ କଟକଣାପାଇଁ ସ୍ଥଗିତ ରହିଥିଲା । ମେଳାରେ ହସ୍ତଶିଳ୍ପ ସାମଗ୍ରୀ (Handicrafts)ର ବେଶ ଚାହିଦା ମଧ୍ୟ ରହିଥିଲା । ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ଦୁଇଟି ଷ୍ଟଲ ଦିଆଯାଇଥିଲା ବେଳେ ପ୍ରାୟ ୯ଜଣ ବ୍ୟବସାୟୀଙ୍କୁ ଏହି ଷ୍ଟଲରେ ସାମଗ୍ରୀ ବିକ୍ରୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏମାନେ ଦୈନିକ ୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ବିକ୍ରି କରିଥିବା ବେଳେ ଜଣେ ଜଣେ କାରିଗର ପ୍ରାୟ ୫୦ହଜାର ଟଙ୍କାର ବ୍ୟବସାୟ କରିଥିବା କହିଛନ୍ତି ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ।