ଓଡିଶା

odisha

ETV Bharat / state

ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି, ମୁଖ୍ୟମନ୍ତ୍ରୀଙ୍କୁ କୁମ୍ପି ଭାଙ୍ଗି ପଠାଇବେ ପଇସା - କେନ୍ଦ୍ରାପଡା ସହରରେ ରାସ୍ତା ସମସ୍ୟା

ରାସ୍ତା ଅବସ୍ଥା ନକହିବା ଭଲ । ରାସ୍ତାର ଦୂରାବସ୍ଥା ଦେଖି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ, ମୁଖ୍ୟମନ୍ତ୍ରୀଙ୍କୁ କୁମ୍ପି ଭାଙ୍ଗି ପଇସା ପଠାଇବେ ବୋଲି କହିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା । ଏପଟେ ଖାଲଖମା ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଜଣାଇବାର ୩ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଚୁପ୍ ବସିଛି ପ୍ରଶାସନ । ଅଧିକ ପଢନ୍ତୁ...

ରାସ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମଧୁସ୍ମିତା
ରାସ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମଧୁସ୍ମିତା

By

Published : Aug 24, 2021, 8:50 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ଶାନ୍ତସାହି ଅଞ୍ଚଳର ୧୨ ବର୍ଷର ଛାତ୍ରୀ ମଧୁସ୍ମିତା ପୃଷ୍ଟି । ଜିଲ୍ଲାରେ ରାସ୍ତାର ଦୂରାବସ୍ଥା ନେଇ ଜିଲ୍ଲପାଳଙ୍କୁ ଚିଠି ଲେଖିବା ସହ, ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇବା ପାଇଁ ଭାଙ୍ଗିବେ କୁମ୍ପି । ତିନିମୁହାଣୀ ଅଞ୍ଚଳର ଏକ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କିଛି ଲାଭ ହେଉନି । ଶେଷରେ ବାଧ୍ୟ ହୋଇ ନିଜ ଜମା କୁମ୍ପି ଭାଙ୍ଗି ରାସ୍ତା ମରାମତି ପାଇଁ ମନସ୍ଥ କରିଛନ୍ତି ମଧୁସ୍ମିତା ।

ରାସ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମଧୁସ୍ମିତା

ତିନିମୁହାଣୀରୁ ଇଚ୍ଛାପୁର, ୱାର୍ଡ ନଂ ୧ରୁ ୨୧ ଯୁଆଡେ ଚାହିଁବେ ସେଆଡ଼େ ରାସ୍ତାସାରା ଖାଲଖମା।ରାସ୍ତାର ଦୁରାବସ୍ଥା ପାଇଁ ଦୈନିକ ଦୁର୍ଘଟଣାର ଶିକାର ହେଉଛନ୍ତି ପଥଚାରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଇକ ଓ ଚାରିଚକିଆ ଯାନ ଆରୋହୀ । ତେବେ ଉଭୟ ପୌର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ରାସ୍ତାର ମରାମତି ସମ୍ଭବ ହେଉନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ସହରାଞ୍ଚଳର ରାସ୍ତାଘାଟ ନିର୍ମାଣ ଓ ମରାମତି ଉପରେ ବିଶେଷ ଫୋକସ ଦେଉଥିବା ବେଳେ ରାଜ୍ୟର ସର୍ବ ପୂରାତନ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ରାସ୍ତାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ସହରର କିଛି ସ୍ଥାନରେ କଂକ୍ରିଟ ରାସ୍ତା ଖରାପ ନହୋଇ ଏହା ଉପରେ ପିଚୁ ରାସ୍ତା ତିଆରି କରାଯାଇଥିବା ବେଳେ ସହରର ପ୍ରାଣକେନ୍ଦ୍ର କୁହାଯାଉଥିବା ତିନିମୁହାଣୀରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ହୋଇପଡିଛି ଶୋଚନୀୟ ।

ରାସ୍ତାର ଦୁରାବସ୍ଥା, ଏହାର ମରାମତି ପାଇଁ କେନ୍ଦ୍ରାପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ପୃଷ୍ଟି ଚଳିତମାସ ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଚିଠି ଲେଖିଥିଲେ । ମଧୁସ୍ମିତା,ସାନ୍ତସାହିସ୍ଥିତ ନିଜ ଘରୁ ବଳଦେବଜୀଉ ମନ୍ଦିରକୁ ଯାଉଥିବା ବେଳେ ରାସ୍ତାର ଖାଲଖମା ଦେଖି ଜିଲ୍ଲାପାଳଙ୍କୁ ଏନେଇ ଜଣାଇଥିଲେ । ତେବେ ଦୀର୍ଘ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ପଦକ୍ଷେପ ନନେବାରୁ ଛାତ୍ରୀ ମଧୁସ୍ମିତା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ା ପୌରପାଳିକାର ରାସ୍ତା ମରାମତି ନିମନ୍ତେ ଅନୁରୋଧ କରିବା ସହ କୁମ୍ପିରେ ସଞ୍ଚିଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କୁ ଦାନ କରିବା ପାଇଁ ଚାହିଁଛନ୍ତି। ଏହି ସଞ୍ଚିତ ଅର୍ଥରେ ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ଆଶା କରିଛନ୍ତି ମଧୁସ୍ମିତା । ମଧୁସ୍ମିତାଙ୍କ ଏହି ପ୍ରୟାସ ପାଇଁ ପରିବାର ଲୋକେ ସହଯୋଗ କରିଥିବା ବେଳେ ବାପା ପ୍ରଦୀପ ପ୍ରଶାସନିକ ସ୍ତରରେ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।

ଏପଟେ ମଧୁସ୍ମିତା ଖାଲଖମା ରାସ୍ତା ନେଇ ଜିଲ୍ଲାପାଳଙ୍କୁ ଜଣାଇବାର ୩ସପ୍ତାହ ବିତିଯାଇଥିଲେ ସୁଦ୍ଧା ଚୁପ୍ ବସିଛି ପ୍ରଶାସନ । ମଧୁସ୍ମିତାଙ୍କୁ ଏନେଇ ତାଙ୍କ ପରିବାର ଲୋକେ ସହଯୋଗ କରିଥିବା ସହ ବାପା ପ୍ରଦୀପ୍ତ ପ୍ରଶାସନର ନିଦ କେବେ ଭାଙ୍ଗିବ ବେଲି ପ୍ରଶ୍ନ କରିଛନ୍ତି । ସେପଟେ ଛାତ୍ରୀଙ୍କର ଏଭଳି ଦାନକୁ ନେଇ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଥିବା ବେଳେ ରାସ୍ତାର ଦୁରାବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ କେବେ ସାହାଯ୍ୟ ମିଳୁଛି ତାକୁ ଅପେକ୍ଷା ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details