ଓଡିଶା

odisha

By

Published : Aug 2, 2019, 2:27 PM IST

ETV Bharat / state

କେନ୍ଦ୍ରାପଡାବାସୀଙ୍କ ଚିନ୍ତା ବଢାଇଛି କେନାଲ ସମସ୍ୟା

ରାଜ୍ୟର ସର୍ବପୁରାତନ ପୌରସଂସ୍ଥା କେନ୍ଦ୍ରାପଡ଼ାର ଜଗତପୁର-ଗଣ୍ଡାଖିଆ କେନାଲ ଜିଲ୍ଲାବାସୀଙ୍କ ବଢାଇଛି ଚିନ୍ତା । ପୂର୍ବରୁ ବ୍ୟବହାର ଉପଯୋଗୀ ହେଉଥିବା ଏହି କେନାଲରେ ଦଲ ଭର୍ତ୍ତି ହୋଇଥିବାରୁ ଲୋକେ କେନାଲକୁ ବ୍ୟବହାର କରି ପାରୁନାହାନ୍ତି । ତେବେ କେନାଲ ସଫେଇ ପାଇଁ ଜଳସେଚନ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାଜ୍ୟର ସର୍ବପୁରାତନ ପୌରସଂସ୍ଥା କେନ୍ଦ୍ରାପଡ଼ାର କେନାଲ ସମସ୍ୟା ପ୍ରଶାସନର ଚିନ୍ତା ବଢ଼ାଇଛି । ଏହି କେନାଲକୁ ସଫେଇ କରିବା ପାଇଁ ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁ ଜୀ. ପଦକ୍ଷେପ ନେଇ ଆସ୍ଥାଭାଜନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ରେଘୁ ଜୀଙ୍କର ବଦଳି ପରେ ସଫେଇ କାମ ଯେମିତିକୁ ସେମିତି ପଡିରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ଯାଇଛି ଜଗତପୁର-ଗଣ୍ଡାଖିଆ କେନାଲ । ଜିଲ୍ଲାର ସର୍ବପୁରାତନ ପୌରସଂସ୍ଥା ଅଧୀନରେ ଆସୁଥିବା ଏହି କେନାଲରେ ୧୦ଟି ୱାର୍ଡର ଜନସାଧାରଣ ନିର୍ଭର କରୁଥିଲେ । ଚାଷ ପାଇଁ ମଧ୍ୟ ଚାଷୀ ଏହି କେନାଲ ଉପରେ ନିର୍ଭର କରୁଥିଲେ । ମାତ୍ର କେନାଲଟିରେ ଦଳ ବୋଝେଇ ହୋଇ ରହିଥିବାରୁ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ।

ଏଥିସହ ବର୍ଷା ହେଲେ ଡ୍ରେନ ପାଣି ଓ କେନାଲ ପାଣି ମିଶି ସହର ମଧ୍ୟକୁ ପ୍ରବେଶ କରୁଛି । ତେବେ ସହରକୁ ଡ୍ରେନ ପାଣି, ପାଇଖାନା ପାଣି ଆଦି ନିସଙ୍କୋଚରେ ଛଡ଼ାଯାଉଛି, ମାତ୍ର ଏହାକୁ କାହାକୁ ବାରଣ କଲେ ବାରମ୍ବାର ଝଗଡା ହେବା ଯୋଗୁଁ ଏନେଇ "ଆଲୋ ସଖି ଆପଣା ମହତ ଆପେ ରଖି" ନୀତିରେ ଚୁପ ରହୁଛନ୍ତି ୱାର୍ଡବାସୀ । ଏହାଛଡା ପାଣି ଜମିବା କାରଣରୁ ମଶାମାଛିଙ୍କ ବଂଶବୃଦ୍ଧି ହୋଇ ବିଭିନ୍ନ ରୋଗ ବ୍ୟାପୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ୱାର୍ଡବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପୂର୍ବତନ ଜିଲ୍ଲାପାଳ ଏହି କେନାଲକୁ ସଫେଇ କରିବା ପାଇଁ ପଦକ୍ଷେପ ନେଇଥିଲେ । ମାତ୍ର ତାଙ୍କର ବଦଳି ପରେ ସଫେଇ କାର୍ଯ୍ୟ ଠପ୍ ହୋଇପଡିଛି । ଏହାକୁ ସଫେଇ ପାଇଁ ନା ପ୍ରୟାସ କରୁଛି ଜଳସେଚନ ବିଭାଗ ନା ପ୍ରଶାସନ।

ତେବେ ଏନେଇ ଆମ ଇଟିଭି ଭାରତ ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟିବା ପରେ କେନାଲର ଲାଇନିଂ ପାଇଁ ବ୍ୟବସ୍ଥା କରାଯାଇଛି ଓ ଡ୍ରେନ ଗୁଡିକୁ ଡାଇଭର୍ଟ କରାଯିବା ପାଇଁ ନୂତନ ପ୍ରକଳ୍ପ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲା ଜଳସେଚନ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ବର୍ତ୍ତମାନ ବର୍ଷାଋତୁ ଥିବାବେଳେ ବର୍ଷା ଅଧିକ ହେଲେ କେନାଲର ପାଣି ସହର ମଧ୍ୟକୁ ପଶିବା ନିଶ୍ଚିତ ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details