କେନ୍ଦ୍ରାପଡ଼ା: ବାଜିରେ ଲାଗିଛି ପାଟକୁରା ଆସନ । କେଉଁଠି ମାଆ ଓ ପୁଅଙ୍କ ମେଳି ହୋଇ ସଭାର ଆୟୋଜନ ତ ଆଉ କେତେବେଳେ ପ୍ରଥମ କରି ବାପାଙ୍କ ସଭାରେ ପୁଅଙ୍କ ଉପସ୍ଥିତି ରାଜନୀତିକୁ ସରଗରମ କରୁଛି । ବହୁଚର୍ଚ୍ଚିତ ଏହି ଆସନରୁ ୨୦୦୦ ମସିହାରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜୟୀ ହୋଇପାରୁନଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ପୁଅ ଅରବିନ୍ଦ ବିଜେଡି ଶିବିରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ମଧ୍ୟ ରାଜନୀତିରେ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି । ତେବେ ଅଭିଭାବକମାନେ ଏବେ ନିଜ ନିଜ ରାଜନୈତିକ ଆସନ ପିଲାମାନଙ୍କ ହାତରେ ଟେକି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି ।
ରାଜନୀତି ମୈଦାନରେ ବିଜୟଙ୍କ ପୁଅ ! କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ୯୬ ନମ୍ବର ପାଟକୁରା ଆସନ । ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପାଟକୁରା ଚର୍ଚ୍ଚାରେ ରହିଥାଏ । ଏବେ କିନ୍ତୁ ପରିବର୍ତ୍ତନକୁ ନେଇ ଉଷ୍ମ ହୋଇ ଉଠିଛି ପାଟକୁରା ରାଜନୀତି । ନିକଟରେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିକନପୁର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟାଜନ କରି ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଧିବଦ୍ଧ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ବିଜୟ ମହାପାତ୍ର । ବିଜେପିର ଜଣେ ବରିଷ୍ଠ ନେତା ହୋଇଥିଲେ ସୁଦ୍ଧା ନିର୍ଦ୍ଦଳୀୟ ସଭା ଆୟୋଜନ କରି ଉଭୟ ଦଳ ଏବଂ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜୟ । ଅନ୍ୟପକ୍ଷରେ ରାଜନୀତିରେ ପ୍ରବେଶ କଥାକୁ ଖୋଲାଖୋଲି ସ୍ଵୀକାର କରିଛନ୍ତି ବିଜୟଙ୍କ ପୁଅ ଅରବିନ୍ଦ । ସେ କହିଛନ୍ତି ପାଟକୁରାବାସୀ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି କିନ୍ତୁ ସେ କେଉଁ ଦଳକୁ ଯିବେ ତାହା ଭବିଷ୍ୟତରେ ଜଣାପଡିବ ବୋଲି କହିଛନ୍ତି ।