କେନ୍ଦ୍ରାପଡ଼ା: ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡାରେ ମାଲବାହୀ ରେଳ ଚଳାଚଳକୁ ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚାଲିବା ଏବେ ବି ସ୍ବପ୍ନ ପାଲଟିଛି । ଏନେଇ ଆଜି ମାର୍ଶାଘାଇ ରେଳ ଷ୍ଟେସନଠାରେ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଖୁବଶୀଘ୍ର ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଫାଟକ ବିହୀନ ହରିଦାସପୁର-ପାରାଦ୍ବୀପ ୮୨ କିଲୋମିଟର ରେଳଧାରଣାରେ ମାଲବାହୀ ଟ୍ରେନ ୨ ବର୍ଷ ୪ ମାସରୁ ଅଧିକ ଦିନ ହେବ ଚଳାଚଳ କରୁଛି । ଯେଉଁଥିରେ କମ୍ପାନୀ ଓ କେନ୍ଦ୍ର ସରକାର ମୁନାଫା ପାଉଛନ୍ତି । ପୂର୍ବରୁ ଗତ ୩୧ ଜୁଲାଇ ୨୦୨୦ରେ ପ୍ରଥମକରି ପାରାଦ୍ବୀପରୁ ଏକ ଲୁହାପଥର ବୋଝେଇ ଟ୍ରେନ ହରିଦାସପୁର ବାହାରିଥିଲା । ରେଳ ଧାରଣା ନିର୍ମାଣ ପାଇଁ ଜମି ହରାଇଥିବା ଲୋକେ ମହାକାଳପଡା ନୂଆଗାଁ ଷ୍ଟେସନଠାରେ ପ୍ରଥମେ ପାସେଞ୍ଜର ଟ୍ରେନ ଚଳାଇବା ଦାବି କରି ମାଲବାହୀ ଟ୍ରେନକୁ ଅଟକ ରଖିଥିଲେ । ପରେ ସେହି ମାଲବାହୀ ଟ୍ରେନକୁ ନଛାଡିବାରୁ ଟ୍ରେନଟି ପାରାଦ୍ବୀପ ଫେରିଯାଇଥିଲା ।