ଭଦ୍ରକ:ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଜାରି ରହିଛି । ଧାମନଗର ଜୋନର ରାଧାବଲ୍ଲଭପୁର ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇ ଜନସମ୍ପର୍କ ପଦ ଯାତ୍ରାରେ ସାମିଲ ହୋଇଥିଲେ।
ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରିବା ପଦଯାତ୍ରାରେ ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ଶେଷରେ ଛତ୍ରପଦା ଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାମାନେ ଲୋକଙ୍କୁ ବୁଝାଇଥିଲେ। ଆୟୋଜିତ ବିଶାଳ ଜନ ସମାବେଶକୁ ଦୃଷ୍ଟିରେ ରଖି ଆଗାମୀ ଉପ ନିର୍ବାଚନରେ ବିଜେଡି ଭଲ ଫଳ କରିବ ବୋଲି ଦଳୀୟ ନେତା କହିଛନ୍ତି । ଏନେଇ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, " ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର 2 ତାରିଖରୁ ନଭେମ୍ବର 2 ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ରାଜ୍ୟସରକାରଙ୍କ ଜନ କଲ୍ୟାଣ ନୀତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ସେମାନଙ୍କୁ ବାର୍ତ୍ତା ଦେବା ଦଳର ମୂଳ ଲକ୍ଷ୍ୟ । ଆମେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛୁ।"
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ, ଭଦ୍ରକ ବିଧାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ପ୍ରମୁଖ ନେତା ସାମିଲ ହୋଇଥିଲେ । ପ୍ରାର୍ଥୀଙ୍କ ଟିକେଟ ଫାଇନାଲକୁ ନେଇ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ବୋଲି ବିଜେଡି କହିଛି।