କେନ୍ଦ୍ରାପଡା:ପୁରୁଣା ମେଡିକାଲ ବା ସିଟି ହସ୍ପିଟାଲ ସହରରେ ସ୍ଥାପନ କରିବା ଦାବିରେ କ୍ରିୟାନୁଷ୍ଠାନ ପକ୍ଷରୁ ଧାରଣା ଜାରି ରହିଛି । ଇତି ମଧ୍ୟରେ ଏହାକୁ ୨୨ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସ୍ଥାନୀୟ ନେତାଙ୍କ ସମର୍ଥନ ମିଳିନଥିଲା । ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ଜଣାଇବା ପରେ ଶୁକ୍ରବାର ଜିଲ୍ଲା ବିଜେଡି ତରଫରୁ ଧାରଣସ୍ଥଳକୁ ଆସି ସମର୍ଥନ ଜଣାଇଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହରରୁ ଉଠିଯିବା ପରେ ସହର ଚିକିତ୍ସାଳୟ ଶୂନ୍ୟ ହୋଇଯିବା ଓ ଲକ୍ଷାଧିକ ସହର ଏବଂ ଆଖପାଖ ଅଞ୍ଚଳର ୭ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ୭ ଜଣିଆ ଟିମ ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାର କେନ୍ଦ୍ରସ୍ଥଳ ଅର୍ଥାତ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଥିବା ସ୍ଥାନରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ । ଏହାପରେ ଚେତିଛି ଶାସକ ଦଳ। ଦୀର୍ଘ ୨୨ ଦିନ ପରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଲୋକଙ୍କ ଚିକିତ୍ସା, ଔଷଧ ଏବଂ ଅନ୍ୟାନ୍ୟ ଛୋଟବଡ଼ ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେହିସ୍ଥାନରେ ସିଟି ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିବେ ବୋଲି ଏକ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଅନ୍ୟପଟେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଉପ ସଭାପତି ଦେବଦାସ ମହାନ୍ତିଙ୍କ ସମେତ ନିର୍ବାଚିତ କାଉନସିଲର, ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଦସ୍ୟ ଦଳୀୟ କର୍ମୀଙ୍କ ସହିତ ଆନ୍ଦୋଳନ ସ୍ଥଳକୁ ଆସି ଧାରଣାରେ ସାମିଲ ହୋଇଥିଲେ ।