ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଜାଲ ଦସ୍ତଖତରେ ଗିଳିଦେଲେ ହରିଶ୍ଚନ୍ଦ୍ର ଟଙ୍କା - biblikana sarapanch loot

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତରେ ସରପଞ୍ଚ ଅସାଧୁ ଅଧିକାରୀଙ୍କ ସହ ମିଶି ମୃତକଙ୍କ ନାମରେ ଆସୁଥିବା ହରିଶ୍ଚନ୍ଦ୍ର ଯୋଜନାକୁ ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହଁ, 14 ଜଣଙ୍କ ଟଙ୍କା ହଡପ ହୋଇଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...

ସରପଞ୍ଚ ନାଁରେ ସାଙ୍ଘାତିକ ଅଭିଯୋଗ: ଜାଲ ଦସ୍ତଖତରେ ଲୁଟିଛନ୍ତି ହରିଶ୍ଚନ୍ଦ୍ର ଟଙ୍କା
ସରପଞ୍ଚ ନାଁରେ ସାଙ୍ଘାତିକ ଅଭିଯୋଗ: ଜାଲ ଦସ୍ତଖତରେ ଲୁଟିଛନ୍ତି ହରିଶ୍ଚନ୍ଦ୍ର ଟଙ୍କା

By

Published : Oct 2, 2021, 8:28 PM IST

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ସର୍ବେସର୍ବା ହେଉଛନ୍ତି ସରପଞ୍ଚ । ନିର୍ବାଚିତ ହେବା ପରେ ଜନତାଙ୍କୁ ସହାୟତା ଦେବା ବଦଳରେ ଅସାଧୁ ଅଧିକାରୀଙ୍କ ସହ ମିଶି ମୃତ ବ୍ୟକ୍ତିଙ୍କ ନାମରେ ଆସୁଥିବା ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାକୁ ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ସରପଞ୍ଚଙ୍କ ନାମରେ । ଏନେଇ ବରିଷ୍ଠ ଅଧିକାରୀ ମୁହଁ ଖୋଲୁନାହାଁନ୍ତି ।

ସରପଞ୍ଚ ନାଁରେ ସାଙ୍ଘାତିକ ଅଭିଯୋଗ: ଜାଲ ଦସ୍ତଖତରେ ଲୁଟିଛନ୍ତି ହରିଶ୍ଚନ୍ଦ୍ର ଟଙ୍କା

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତରେ । ଏହି ପଞ୍ଚାୟତରେ ଦୁର୍ନୀତିର ଚେର ତଳକୁ ତଳ ଯାଇଥିବା ବେଳେ ଏବେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡପ ନେଇ ସୃଷ୍ଟି ହୋଇଛି ପ୍ରଶାସନିକ କମ୍ପନ । ମୃତ ବ୍ୟକ୍ତିବିଶେଷଙ୍କ ସମ୍ପର୍କୀୟଙ୍କ ନାମରେ ଜାଲ ଦସ୍ତଖତ କରି ଟଙ୍କା ହଡପ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ଜଣେ କିମ୍ବା ଦୁଇଜଣ ନୁହେଁ ପଞ୍ଚାୟତର ୧୪ ଜଣ ମୃତକଙ୍କ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡପ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇ ବିଡ଼ିଓ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏକ ଭାଉଚରରେ ୧୩.୦୮.୨୦୧୯ ତାରିଖରେ ମୃତ ଖୁଲଣା ଦାସଙ୍କ ପୁଅ ପ୍ରଭାକର ଦାସଙ୍କୁ ମିଳିଛି ଟଙ୍କା ଏବଂ ଅନ୍ୟ ଏକ ଭାଉଚରରେ ୧୩.୦୮.୨୦୧୯ ତାରିଖରେ ମୃତ ସୁଭଦ୍ରା ସେଠୀଙ୍କ ପୁଅ ରବୀନ୍ଦ୍ର ସେଠୀଙ୍କୁ ଦିଆଯାଇଛି ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ସହାୟତା। ଏକଥା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ କହୁଛି । ହେଲେ, ବାସ୍ତବତା କିନ୍ତୁ ଅଲଗା। ଗତ ୨୦୧୮ ମସିହାରୁ ଅଦ୍ୟାବଧି ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଲ ଦସ୍ତଖତ କରି ୧୪ ଜଣଙ୍କ ନାମରେ ଉଠାସରିଲାଣି ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା । ହେଲେ ହିତାଧିକାରୀଙ୍କ ହାତକୁ ଯାଇନି କୌଣସି ସହାୟତା । ଆଉ ଏହାର କାର୍ପଟଦାର ସ୍ଥାନୀୟ ସରପଞ୍ଚ ସାଜିଥିବା ଅଭିଯୋଗ ହୋଇଛି ।

ବିଲିକଣା ପଞ୍ଚାୟତର ସାତକୁଡ଼ିଆ ଗାଁର ୩ ଜଣ, ସାନଗରା ଗାଁର ୫ ଜଣ, ବିଲିକଣା ଗାଁର ୪ ଜଣ, ଅଳତାଙ୍ଗ ଗାଁର ୨ ଜଣ ଓ ବାଳିଆପଲ୍ଲୀ ଗାଁର ଜଣେ ମୃତକଙ୍କ ଟଙ୍କାକୁ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ପଞ୍ଚାୟତରେ ହରିଶ୍ଚନ୍ଦ୍ର ସହାୟତା ପାଇଁ ଆବେଦନ କରି ବାରମ୍ଵାର ଦୌଡ଼ି ନିରାଶ ହୋଇଥିଲେ ମଧ୍ୟ ଟଙ୍କା ମିଳୁନଥିବା ବେଳେ ଏବେ ସୂଚନା ଅଧିକାର ତଥ୍ୟ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ମୁଖା ଖୋଲିଥିବା କହିଛନ୍ତି ଅଭିଯୋଗକାରୀ ।

ଅନ୍ୟପଟେ ସରପଞ୍ଚଙ୍କୁ ଏନେଇ ପଚାରିବାରୁ ସେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ପ୍ରଶାସକ ତଥା ପଟ୍ଟାମୁଣ୍ଡାଇ ବିଡ଼ିଓ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ସଙ୍ଗେସଙ୍ଗେ ତଦନ୍ତ ନିର୍ଦ୍ଦେଶ ଦେଉଥିବା ସୂଚନା ଦେଇଛନ୍ତି ।

ଗରିବ ଲୋକଙ୍କ ପାଇଁ ହେଉଥିବା ବିଭିନ୍ନ ଯୋଜନା ଗ୍ରାମୀଣ ଲୋକଙ୍କ ପାଖରେ ନପହଞ୍ଚି ହଡପ ହେଉଥିବା ବେଳେ ଏନେଇ ପ୍ରଶାସନିକ ପଦକ୍ଷେପ କଣ ନେଉଛି, ତାହା ସମୟ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details