କେନ୍ଦ୍ରପଡା:ସକ୍ରିୟ ରାଜନୀତିକୁ ଏଣ୍ଟ୍ରି ମାରିବେ କି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବାପାଙ୍କ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ବଢାଉଛନ୍ତି ବାପାପୁଅ । ବନ୍ଧୁମିଳନ ନାଁରେ ଏକ କାର୍ଯ୍ୟକ୍ରମ କରି ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଞ୍ଚାୟତର ଖେଳପଡିଆ ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦ୍ବାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନାମ ବନ୍ଧୁ ମିଳନ ମାତ୍ର କାର୍ଯ୍ୟକ୍ରମର ଦୃଶ୍ୟ ଦେଖି ବନ୍ଧୁ ମିଳନ ହେଉଥିବା କୌଣସି ଦିଗରୁ ଲାଗୁ ନଥିଲା । କାର୍ଯ୍ୟକ୍ରମଟି ଏକ ନିର୍ବାଚନୀ ସଭା ପରି ମନେ ହେଉଥିଲା । ବନ୍ଧୁମିଳନ ନାଁରେ ହେଭିୱେଟ ରାଜନେତା ବିଜୟ ମହାପାତ୍ର ଶକ୍ତି ପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି । ହେଲେ କଥାକୁ ଏଡାଇ ଦେଇଛନ୍ତି ଲୋକେ ତ ଚର୍ଚ୍ଚା କରିବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର । ସେପଟେ ଗୋଟିଏ ମଞ୍ଚରେ ବାପାପୁଅ ଏକାଠି ହେବା ସଭାରେ ଏତେ ସଂଖ୍ୟକ ଜନ ସମାଗମ ହେବା କିଛି ଅଲଗା ସଙ୍କେତ ହେଉଛି । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ରାଜନୀତିରେ ଯୋଗ ଦେବା ନେଇ ଗୁଜବ ଉଠୁଥିବାବେଳେ କେଉଁ ଦଳରେ ସାମିଲ ହେବେ ସେ ନେଇ ସ୍ପଷ୍ଟ ହୋଇନାହିଁ ।
କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ସହିତ ଜିଲ୍ଲାର ମାର୍ଶାଘାଇ, ଗରଦପୁର,ଡେରାବିଶ ଭଳି ବିଭିନ୍ନ ବ୍ଲକ ଅଞ୍ଚଳର ବିଜୟ ମହାପାତ୍ର ସମର୍ଥକ ମାନେ ଯୋଗ ଦେଇଥିଲେ । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏହି ବନ୍ଧୁ ମିଳନରେ ଉପସ୍ଥିତ ରହିଥିଲେ । ୨୦୨୩ ମସିହା ଓଡିଶା ରାଜନୀତି ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଐତିହାସିକ ପରିବର୍ତ୍ତନ ହେବ ବୋଲି ବିଜୟ ମହାପାତ୍ର ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୟଙ୍କ ସମର୍ଥକ ଯୋଗ ଦେଇଥିଲେ । ଗୋଟିଏ ମଞ୍ଚରେ ପିତାପୁତ୍ର ଏକାଠି ହେବା ଓ ପୁତ୍ର ଅରବିନ୍ଦ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ସଙ୍କେତ ଦେଉଥିବା ବେଳେ ବିଜୟ ମହାପାତ୍ର ଏହାକୁ ସଙ୍ଗଠନ କରିବା କହିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପୁଅ ରାଜନୀତିକୁ ଓହ୍ଲାଇବା ନେଇ ବିଜୟ ମହାପାତ୍ର ସ୍ପଷ୍ଟ କରି ନଥିବା ବେଳେ ଆସନ୍ତା ନିର୍ବାଚନରେ ଏକ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଛି ।