ଓଡିଶା

odisha

ETV Bharat / state

BDOଙ୍କ ମହାନତା, ବଦଳି ପରେ ମଧ୍ୟ ପାଳନ କଲେ ପ୍ରତିଶୃତି

ଏକଦା କେନ୍ଦ୍ରାପଡାରେ ବିଡିଓ ଭାବେ କାର୍ଯ୍ୟରତ ଅଶ୍ବିନୀ ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା । ଜଣେ ବୟସ୍କ ଦମ୍ପତି ପୋଡଶୀ ଗାଈ ଗୁହାଳରେ ରହୁଥିବା ଖବର ଶୁଣି ଘର ପାଇଁ ନିଜ ଟଙ୍କାରୁ ସହାୟତାର ହାତ ବଢାଇ ଦେଇଥିଲେ । ପରେ ତାଙ୍କର ବାଲେଶ୍ବର ଜଳେଶ୍ବରକୁ ବଦଳି ହୋଇଗଲା । ତଥାପି ସେ ଭୁଲିନଥିଲେ ପ୍ରତିଶୃତି । ଘର ସମ୍ପୂର୍ଣ୍ଣ କରିବାକୁ ଛୁଟିରେ ସେ ଧାଇଁ ଆସିଥିଲେ କେନ୍ଦ୍ରାପଡା ଏବଂ ବାକି ସହାୟତା ଦେଇଛିନ୍ତି ।

ବିଡିଓଙ୍କ ମାନବ ପ୍ରେମ, ବଦଳି ପରେ ମଧ୍ୟ ପ୍ରତିଶୃତି ପାଳନ କଲେ
ବିଡିଓଙ୍କ ମାନବ ପ୍ରେମ, ବଦଳି ପରେ ମଧ୍ୟ ପ୍ରତିଶୃତି ପାଳନ କଲେ

By

Published : Apr 11, 2022, 9:38 PM IST

କେନ୍ଦ୍ରାପଡା: କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିରାପଦରେ ମୁଣ୍ଡ ଗୁଞ୍ଜିବା ଉଦ୍ଦେଶ୍ୟରେ ଛାତ ଘରଟିଏ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ମହାବାତ୍ୟା ପରବର୍ତ୍ତୀ ସମୟରେ ସ୍ୱଳ୍ପ ଟଙ୍କା ଋଣ ଅବା ସହାୟତା ରାଶି ପାଇଥିବା ବ୍ୟକ୍ତିବିଶେଷ ଘର ଖଣ୍ଡେ କରିପାରିନଥିବା ବେଳେ ସରକାରୀ ନିୟମ ସେମାନଙ୍କୁ ବର୍ଷ ବର୍ଷ ଧରି ଚାଳ ଘରେ କିମ୍ବା କାହା ଗାଈ ଗୁହାଳରେ ରହିବାକୁ ବାଧ୍ୟ କରୁଛି । ତେବେ ଏଭଳି ସମୟରେ ଗରିବ ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ଦେବଦୂତ ସାଜି ଜଣେ ପ୍ରଶାସନିକ ଅଧିକାରୀ ପହଞ୍ଚିବା ଓ ସହଯୋଗର ହାତ ବଢ଼ାଇବା ସମସ୍ତଙ୍କ ମନ ଜିଣିଛି ।

ବିଡିଓଙ୍କ ମାନବ ପ୍ରେମ, ବଦଳି ପରେ ମଧ୍ୟ ପ୍ରତିଶୃତି ପାଳନ କଲେ

ବିଡ଼ିଓ ଥିଲେ । ବଦଳି ହେଲେ କିନ୍ତୁ, ଭୁଲିଲେ ନାହିଁ ନିଜର ପ୍ରତିଶ୍ରୁତି । ଛୁଟିଦିନରେ ପରିବାର ସହିତ ସମୟ ଅତିବାହିତ ନକରି ଦୀର୍ଘ ୩୦୦ କିଲୋମିଟର ଆସି ଘର ତିଆରି କରିବା ପାଇଁ ଦେଇଥିବା ପ୍ରତିଶୃତି ମୁତାବକ ଆର୍ଥିକ ସହାୟତା ଯୋଗାଇଦେଲେ ବିଡିଓ । ଏପରି ଜଣେ ମହାନ ବ୍ୟକ୍ତି ହେଉଛନ୍ତି, ବରିଷ୍ଠ ଓଏଏସ ଅଧିକାରୀ ପୂର୍ବତନ କେନ୍ଦ୍ରାପଡା ବିଡ଼ିଓ ତଥା ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରତ ଅଶ୍ବିନୀ ଦାସ । ସେ କେନ୍ଦ୍ରାପଡ଼ା ବିଡ଼ିଓ ଥିବାବେଳେ କେନ୍ଦ୍ରାପଡା ଆୟବା ଗ୍ରାମର ୬୫ ବର୍ଷୀୟ ସାଧୁ ମଲିକ ଓ ତାଙ୍କ ପତ୍ନୀ ପଡୋଶୀ ଘର ଗାଈ ଗୁହାଳରେ ଆଶ୍ରୟ ନେଉଥିବା ସୂଚନା ପାଇ ତତ୍‌କ୍ଷଣାତ ସାଧୁଙ୍କ ସହଯୋଗ ପାଇଁ ଆୟବା ଗାଁକୁ ଧାଇଁ ଯାଇଥିଲେ ।

ତେବେ ସାଧୁ ଗତ ୧୯୯୯ ମହାବାତ୍ୟା ପରେ ପକ୍କା ଘର ପାଇଁ ସରକାରୀ ଭାବେ ୧୯ ହଜାର ଟଙ୍କା ଆର୍ଥିକ ସହଯୋଗ ପାଇଥିବା ଓ ଏହି ଟଙ୍କାକୁ ସେ ଟିବି ରୋଗରେ ଆକ୍ରାନ୍ତ ହୋଇ ଖର୍ଚ୍ଚ କରିଦେଇଥିବା ଜାଣିବାକୁ ପାଇଥିଲେ । ହେଲେ ବୃଦ୍ଧ ଦମ୍ପତ୍ତିଙ୍କ ପୁଅ ନଥିବା କାରଣରୁ ଅସହାୟ ହୋଇ ପଡୋଶୀ ଘର ଗୁହାଳରେ ମୁଣ୍ଡ ଗୁଞ୍ଜୁଥିବା ଦେଖି ବିଡ଼ିଓ ଅଶ୍ବିନୀ, ସାଧୁଙ୍କୁ ପକ୍କାଘର ନିର୍ମାଣ ପାଇଁ ନିଜ ପକେଟରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇ ଘର କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ସାଧୁ ଏହି ଟଙ୍କାରେ ପକ୍କା ଘର ତିଆରି ପାଇଁ ଆବଶ୍ୟକୀୟ ସରଞ୍ଜାମ କିଣି ଆଣି କାମ ଆରମ୍ଭ କରିବା ପରେ ଅଚାନକ ଅଶ୍ବିନୀଙ୍କ କେନ୍ଦ୍ରାପଡ଼ାରୁ ବଦଳି ହୋଇଯାଇଥିଲା ।

ଅନ୍ୟପଟେ ଘର ଆରମ୍ଭ କରିବା ପାଇଁ ମୋଟ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବିଡିଓ ଦେଇଥିବା ୨୦ ହଜାର ଟଙ୍କା ପରେ ସାଧୁଙ୍କ ଘର ନିର୍ମାଣ ସାମଗ୍ରୀ ବାକି ୧୫ ହଜାର ରହିଥିଲା, ଯାହାକୁ ସୁଝିବା ସାଧୁଙ୍କ ପକ୍ଷରେ ସମ୍ଭବ ନଥିଲା । ତେବେ ଏହାରି ଭିତରେ ସାଧୁ ବାରମ୍ବାର କେନ୍ଦ୍ରାପଡ଼ା ବ୍ଲକ ଆସି ଅଶ୍ବିନୀଙ୍କୁ ଖୋଜିବା ଓ ଆରମ୍ଭ କରିଥିବା ଘରଟିକୁ ସମ୍ପୂର୍ଣ୍ଣ ନକରିପାରିବା ଚିନ୍ତାରେ ରହିଥିବା ବେଳେ ଗତକାଲି(ରବିବାର) ପୁନର୍ବାର ସାଧୁଙ୍କ ଘରେ ପହଞ୍ଚି ତାଙ୍କୁ ଘରଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁନର୍ବାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ସାଧାରଣତଃ ଛୁଟି ଦିନରେ ସରକାରୀ ଅଧିକାରୀ ନିଜ ପରିବାର ସହ ସମୟ ବିତାଉଥିବା ବେଳେ ସୁଦୂର ଜଳେଶ୍ବରରୁ ପାଖାପାଖି ୩୦୦ କିଲୋମିଟର ଦୌଡ଼ି ଆସି ସାଧୁଙ୍କ ନିକଟରେ ପହଞ୍ଚି ତାଙ୍କୁ ସହଯୋଗ କରିବାରେ ସମର୍ଥ ହୋଇଥିବାରୁ ନିଜକୁ ଆତ୍ମସନ୍ତୋଷ ଲାଗୁଥିବା କହିଛନ୍ତି ଜଳେଶ୍ବର ବିଡ଼ିଓ ଅଶ୍ବିନୀ ଦାସ । ନିଜ ଦରମାରୁ କାଟି ସେ ଗୋଟିଏ ଅସହାୟ ପରିବାରର ସାହାରା ହୋଇପାରିଥିବାରୁ ନିଜକୁ ଗର୍ବ ଲାଗୁଛି ଓ ସାଧୁ ତାଙ୍କର ଘରଟିକୁ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ଅଶ୍ବିନୀଙ୍କ ଏଭଳି କାମକୁ ଭଲ ପାଉଥିବା ପୂର୍ବତନ ଲୋକ ପ୍ରତିନିଧିମାନେ ଅଶ୍ବିନୀଙ୍କ ସହ ଯୋଗଦେଇ ସାଧୁଙ୍କ ଦୁଃଖଦ ସମୟରେ ଅଶ୍ବିନୀଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଅଶ୍ବିନୀ, ଓଏଏସ ଅଧିକାରୀଙ୍କ ପାଇଁ ଏକ ଉଦାହରଣ ଓ ସମସ୍ତ ଅଧିକାରୀ ଅଶ୍ୱିନୀଙ୍କ ଠାରୁ ପ୍ରେରଣା ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି । ପ୍ରତିଶୃତି ପୂରଣ କରିବା ପାଇଁ ମନରେ ଦମ୍ଭ ରହିଥିଲେ, ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାକୁ ପୂରଣ କରାଯାଇପାରିବ ବୋଲି ବିଡ଼ିଓ ଅଶ୍ବିନୀ ଦାସ ପ୍ରମାଣିତ କରିଥିବା ବେଳେ ଅନ୍ୟ ଅଧିକାରୀମାନେ ତାଙ୍କ ଠାରୁ ନିଶ୍ଚେ ଶିକ୍ଷାଲାଭ କରିବେ ବୋଲି ଆଶା ଏବଂ ବିଶ୍ୱାସ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details