କେନ୍ଦ୍ରାପଡା: ପରିବେଶକୁ ସ୍ବଚ୍ଛ ରଖିବା ପାଇଁ କେନ୍ଦ୍ରାପଡା ପୌରପରିଷଦରେ ଆରମ୍ଭ ହେଲା ବ୍ୟାଟେରୀ ଚାଳିତ ଗାଡିରେ ଆବର୍ଜନା ସଂଗ୍ରହ । ଆଉ ବଡକଥା ହେଉଛି, ପୁରୁଷ ନୁହେଁ, ମହିଳା ସମ୍ଭାଳିବେ ପୌରପରିଷଦକୁ ସଫାସୁତୁରା ରଖିବାର ଭାର । ମହିଳାଙ୍କୁ ସ୍ବାବଲମ୍ବୀ ଓ ସହରକୁ ସ୍ବଚ୍ଛ ରଖିବା ପାଇଁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି ।
ସ୍ବଚ୍ଛ ଓ ସୁସ୍ଥ କେନ୍ଦ୍ରାପଡା ଗଠନ ଲକ୍ଷ୍ୟରେ ପ୍ରଶାସନର ନିଆରା ପଦକ୍ଷେପ । କେନ୍ଦ୍ରାପଡା ପୌରପରିଷଦରେ ଆରମ୍ଭ ହୋଇଛି ବ୍ୟାଟେରୀ ଚାଳିତ ଯାନରେ ଆବର୍ଜନା ସଂଗ୍ରହ । ଆଉ ଏହାର ମଙ୍ଗ ଧରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଘର ଘର ବୁଲି ମହିଳା ସଂଗ୍ରହ କରୁଛନ୍ତି ଅଳିଆ ଆବର୍ଜନା । ତାହା ପୁଣି ପୃଥକ୍ ପୃଥକ୍ ଭାବରେ । ପ୍ରାଥମିକ ପର୍ଯ୍ୟାୟରେ ୱାର୍ଡ ନଂ 1 ଓ 2ରେ ଅଭିଯାନ ଆରମ୍ଭ ହୋଇଛି । ପରେ ଅନ୍ୟ ୱାର୍ଡରେ ଏହି କାର୍ଯ୍ୟକ୍ରମ କରାଯିବ ।