କେନ୍ଦ୍ରାପଡା: ପ୍ରସିଦ୍ଧ ବାରୁଣୀ ବୁଡ଼ ପାଇଁ ଚଳଚଞ୍ଚଳ ଇନ୍ଦୁପୁର ଅଞ୍ଚଳ । ତିନୋଟି ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇ ମା' ଚଣ୍ଡୀଦେବୀଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପତାପ କ୍ଷୟ ହେବା ସହ ମାନସିକ ପୂରଣ ହେବାର ଲୋକକଥା ରହିଛି । ଏଥିପାଇଁ ଏହି ବାରୁଣୀ ଘାଟକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟୁଛି । ନଦୀର ଗୋଟିଏ ପାର୍ଶ୍ଵରେ ମା' ଚଣ୍ଡୀଦେବୀ ଓ ଅନ୍ୟପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ ପାଇଁ କାହିଁ କେତେ ବ୍ୟାକୁଳ ଭକ୍ତ ମନ ।
ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ ମା' ଚଣ୍ଡୀଦେବୀଙ୍କ ବାରୁଣୀ ସ୍ନାନ । ଏହିଦିନ ପ୍ରାତଃ ସମୟ ଅର୍ଥାତ ରାତ୍ରର ଚତୁର୍ଥ ପ୍ରହରରେ କେନ୍ଦ୍ରାପଡା ଇନ୍ଦୁପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କ ପାଇଁ ନିକଟସ୍ଥ ତିନି ନଦୀର ସଙ୍ଗମ ସ୍ଥଳରୁ ପାଣି ଅଣାଯାଇ ମା'ଙ୍କୁ ସ୍ନାନ କରାଯିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ପକାଇଥାନ୍ତି ପବିତ୍ର ବାରୁଣୀ ବୁଡ଼ । ବ୍ରାହ୍ମଣୀ, ବିରୂପା ଓ କେଲୁଅ ଭଳି ପବିତ୍ର ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ସମସ୍ତ ପାପ ନାଶ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହୁଛି । କେବଳ ଏତିକି ନୁହେଁ, ସଙ୍ଗମ ସ୍ଥଳରେ ବିବାହ ମୁକୁଟ ଏବଂ ପଉଡ଼ ମଶିଣାକୁ ବିସର୍ଜନ କରିବା ପାଇଁ କାହିଁ କେତେଦୂରରୁ ଲୋକେ ଆସିଥାନ୍ତି ।