କେନ୍ଦ୍ରାପଡା: କୋଭିଡ-19ର ପ୍ରଥମ ଲହରରେ ସଟଡାଉନ ଓ ଲକଡାଉନ ପାଇଁ ଆର୍ଥିକ ସ୍ଥିତିରେ ଭାଙ୍ଗିପଡି ଅଣ୍ଟା ଭାଙ୍ଗିଯାଇଥିବା ବେଳେ ବର୍ତ୍ତମାନ ଦ୍ଵିତୀୟ ଲହର ଅଟୋ ଚାଳକଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି ଯାହାପାଇଁ କି ଚିନ୍ତାରେ ଚାଳକ ଓ ପରିବାର । କେନ୍ଦ୍ରାପଡ଼ା ସହରରେ ଚଳାଚଳ କରୁଥିବା ମୋଟ 4 ହଜାରରୁ ଉର୍ଦ୍ଧ୍ବ ଯାତ୍ରୀବାହୀ ଅଟୋ ଚାଳକଙ୍କ ଭାଗ୍ୟ ଏବେ ଖଣ୍ଡାଧାରରେ ।
କୋଭିଡ-19 କାରଣରୁ 2020 ମସିହାର 10 ମାସ ଅଟୋ ଚଳାଇ ନପାରି ଆର୍ଥିକ ଭାବେ ଅନଗ୍ରସର ହୋଇପଡିଥିବା ଅଟୋ ଚାଳକଙ୍କ ପରିବାର ଏବେ ଦ୍ଵିତୀୟ ଲହର ଜନିତ କୋଭିଡ କଟକଣାରେ ଜୀବିକା ହରାଇଛନ୍ତି । କୋଭିଡ ଜନିତ ପ୍ରଥମ କଟକଣାରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁ ଘରେ ରହି ହାତ ଉଧାର କରି ଯେନତେନ ପ୍ରକାରେ ଚଳି ଆସିଥିବା ବେଳେ ଏବେ 'ବେଡି ଉପରେ କୋରଡ ମାଡ଼' ଭଳି ଦ୍ଵିତୀୟ ଲହର ମହାବିପତ୍ତି ଆଣିଛି ଏମାନଙ୍କ କ୍ଷେତ୍ରରେ। ଗୋଟିଏ ପଟେ 6ମାସର କିସ୍ତି ସୁଝିବା ପାଇଁ ଚିନ୍ତାରେ ଅଟୋ ଚାଳକ ରହିଥିବା ବେଳେ ଅନ୍ୟପଟେ ବର୍ତ୍ତମାନର ଦ୍ଵିତୀୟ ଲହର ଏମାନଙ୍କ ପାଇଁ ଆଣିଦେଇଛି କେବଳ ଦୁଃଖ ଓ ଦୁଃଖ ।
ଏହି ଅଟୋ ଚାଳକମାନେ ଯଦିଓ ସଦାସର୍ବଦା ଅସୁବିଧାରେ ଅଛନ୍ତି ହେଲେ ଆବଶ୍ୟକ ପଡ଼ିଲେ ନିଜ ପକେଟରୁ ଖର୍ଚ୍ଚ କରି ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କର ସେବା କରିବା ଭୁଲି ନଥାନ୍ତି। ଏଇ ଯେମିତିକି ଜଣେ ଦୃଷ୍ଟିବାଧିତଙ୍କୁ ତାଙ୍କର ଉଚିତ ପଥ ଦେଖାଇବା ସହ ମାସ୍କ ପ୍ରଦାନ କରି ନିଜର ଦାୟିତ୍ବ ସମ୍ପନ୍ନ କରିଛନ୍ତି ଜଣେ ଚାଳକ। ସାନ୍ତସାହିସ୍ଥିତ ଅଟୋ ଷ୍ଟାଣ୍ଡରେ ଥିବା କାମାକ୍ଷୀ ଅଟୋ ସଂଘରୁ ଅଟୋଗୁଡିକ ଓରତ,ଗଣ୍ଡାଖିଆ,ପଟ୍ଟାମୁଣ୍ଡାଇ,ଇନ୍ଦୁପୁର,ଆୟବା ଆଦି ସ୍ଥାନକୁ ଯାଉଥିବା ବେଳେ ଅଟୋରେ ତିନିଜଣ ଯାତ୍ରୀ ପରିବହନ ନିୟମ ଏମାନଙ୍କୁ କରିଛି ହତାଦର। ଡିଜେଲ ମୂଲ୍ୟ 100ଛୁଇଁଥିବା ବେଳେ ଯାତ୍ରୀମାନେ ପୁରୁଣା ଭଡା ଦେଉଥିବାରୁ ଅଟୋ ଚଳାଇବା ଏକ କ୍ଷତିକାରକ ବ୍ୟବସାୟ ପାଲଟିଗଲାଣି ।