କେନ୍ଦ୍ରାପଡା: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ହେଉଛି ଆକ୍ରମଣ ! ଆଉ ଏ ଆକ୍ରମଣ ଆଉ କେହି ନୁହେଁ ବଂର ସରକାରୀ ବାବୁ ହିଁ କରାଉଥିବାର ଥାନାରେ ସାଂଘାତିକ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା RWSS ଠିକାଦାର ଶୁଭେନ୍ଦୁ ରାଉତ ଏହି ଆକ୍ରମଣର ଶିକାର ହୋଇଥିବେଳେ ଥାନାରେ ଏପରି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ।
RWSSରେ ଖୋଲାଖୋଲି ଭାବେ ଟେଣ୍ଡର ଫିକ୍ସିଂ ହେଉଥିବାର ଭିଡିଓ ଇଟିଭି ଭାରତରେ ବାଜିଥିବାବେଳେ ଏହି ଟେଣ୍ଡର ଦୁର୍ନୀତି ବିରୋଧରେ ମୁହଁ ଖୋଲିଥିଲେ ଶୁଭେନ୍ଦୁ । ପରେ ତାଙ୍କୁ ଗତକାଲି(ଗୁରୁବାର) ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି । ତେବେ ଏନେଇ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଥିବା ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜ୍ୟୋତ୍ସାରାଣୀ ।
ଗତ ସେପ୍ଟେମ୍ବର ମାସରେ ତିନୋଟି ଆଇଡି ନମ୍ବରରେ 24ଟି ଟେଣ୍ଡର ହୋଇଥିବାବେଳେ "SDOଙ୍କ ଚିଠାରେ ଟେଣ୍ଡର ପେପର ବିକ୍ରି କରାଯିବ"ବୋଲି ଏକ ଭିଡିଓ ଉତ୍ତୋଳନ କରିଥିଲେ ଶୁଭେନ୍ଦୁ । ଯାହାକୁ ନେଇ ସାରା ଜିଲ୍ଲାରେ ଟେଣ୍ଡର ଫିକ୍ସିଂ ନେଇ ଆଲୋଡନ ଖେଳିଯାଇଥିଲା । ସେହିପରି ଚଳିତମାସ 23ତାରିଖ ସୁଦ୍ଧା କୌଣସି ବିଜ୍ଞାପନ ଦିଆନଯାଇ ଟେଣ୍ଡର ପେପର ବିକ୍ରି କରାଯାଉଥିବାର ଅଭିଯୋଗ ଆଣିଥିଲେ ଶୁଭେନ୍ଦୁ । ଯାହାକୁ ନେଇ ପୁନର୍ବାର RWSS କାର୍ଯ୍ୟାଳୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏସବୁ ହିଁ ଶୁଭେନ୍ଦୁଙ୍କୁ ଆକ୍ରମଣ କରିବାର ପ୍ରମୁଖ କାରଣ ବୋଲି କହିଛନ୍ତି ଶୁଭେନ୍ଦୁଙ୍କ ପତ୍ନୀ ।