କେନ୍ଦ୍ରାପଡ଼ା:ପୁଣି ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ । ଏକ ମାମଲାର ସମାଧାନ ପାଇଁ 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ । ଲାଞ୍ଚ ନେଉଥିବା ଅଧିକାରୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ବୀରାଜ ମିଶ୍ର । ପୃଥ୍ବୀରାଜଙ୍କ ସମେତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରୁଥିବା ବ୍ରଜକିଶୋର ବେହେରାକୁ ମଧ୍ୟ ଗିରଫ କରିଛି।
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଥାନା ASI ଅଭିଯୋଗ ଅନୁଯାୟୀ, ସଦର ଥାନା କୋରୁଆ ଗାଁର ମିହିର କୁମାର ଲେଙ୍କା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଗଣ୍ଡଗୋଳ ହୋଇ ଆସୁଥିବା ବେଳେ ଗତବର୍ଷ ଅଗଷ୍ଟ 15 ତାରିଖରେ ମିହିରଙ୍କ ସାନଭାଇକୁ ପଡୋଶୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଆକ୍ରମଣକାରୀ ପ୍ରଥମେ ସଦର ଥାନାରେ ଅଭିଯୋଗ କରିଥିବାରୁ ମିହିରଙ୍କ ପରିବାରର ଅଭିଯୋଗକୁ ଗ୍ରହଣ କରିନଥିଲା ସଦର ପୋଲିସ । ପରେ ବିପକ୍ଷ ପକ୍ଷରୁ ପୁନର୍ବାର ଏକ 1ସିସି ମାମଲା ମିହିରଙ୍କ ପରିବାର ଲୋକଙ୍କ ନାମରେ ରୁଜୁ ହୋଇଥିବା ବେଳେ ଏହି ମାମଲାକୁ ମିଥ୍ୟା ଦର୍ଶାଇ ତାଙ୍କ ନାମରେ ଥିବା ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଏଏସଆଇ ପୃଥ୍ବୀରାଜ ମିଶ୍ର ମିହିରଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ।
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଥାନା ASI ପ୍ରଥମେ ଜାନୁଆରୀ ମାସରେ 3 ହଜାର ଟଙ୍କା ମାର୍ଚ୍ଚ ମାସରେ ଆଉ 2 ହଜାର ଦେବା ପରେ ପୁନର୍ବାର 7 ହଜାର ଟଙ୍କା ଦାବି କରିଥିଲେ ପୃଥ୍ବୀରାଜ । ତେବେ ଏହି ଲାଞ୍ଚ ମାଗିବାକୁ ନେଇ ମିହିର କଟକ ଭିଜିଲାନ୍ସ ବିଭାଗ ଦ୍ବାରସ୍ଥ ହୋଇଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଆଜି ସନ୍ଧ୍ୟାରେ ଟଙ୍କା ଦେବା ପାଇଁ ମଧ୍ୟସ୍ଥି ବ୍ରଜକିଶୋରଙ୍କୁ କହିଥିଲେ । ତେବେ ଟଙ୍କା ନେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର 7 ଜଣିଆ ଟିମ ଉଭୟ ବ୍ରଜକିଶୋର ଓ ପୃଥ୍ବୀରାଜଙ୍କୁ ମାଡି ବସିଥିଲା । ଏଥିସହ ପୃଥ୍ବୀରାଜଙ୍କ ସରକାରୀ ବାସଭବନ ଓ ପୈତୃକ ଘର ଯାଜପୁରରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।
କେବଳ ପୃଥ୍ବୀରାଜ ନୁହନ୍ତି ପୂର୍ବ ମାମଲା ଗୁଡିକରେ ଜାମିନ ଓ କେସ ମିଥ୍ୟା କରିବା ନାମରେ ଆପତତଃ 70 ହଜାର ଟଙ୍କା ଖର୍ଚ୍ଚ କରିଥିବା ଓ ଏହି ଟଙ୍କା ଅନ୍ୟଜଣେ ପୋଲିସ ଅଧିକାରୀ ନେଇଥିବା କହିଛନ୍ତି ଅଭିଯୋଗକାରୀ ମିହିର । ଆଜି ସନ୍ଧ୍ୟାରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଡ଼ିଏସପି ବିଜୟ ଓରାମଙ୍କ ନେତୃତ୍ବରେ ଏକ 7 ଜଣିଆ ଟିମ କେନ୍ଦ୍ରାପଡ଼ା ସଦର ଥାନା ଉପରେ ଚଢାଉ କରିଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ