କେନ୍ଦ୍ରାପଡା:ଚିଲିକା ପରେ ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କୁ ଗଣନା କରୁଛନ୍ତି 18ଟି ଟିମ୍ । ଆଜି ଦିନ ତମାମ ପକ୍ଷୀ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ତାଲିମ ନେଇଥିଲେ ଟିମର ସଦସ୍ୟ ।
ଆଜି ସକାଳ 6ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । କନିକା ରେଞ୍ଜ ଅଧିନରେ 2ଟି ଟିମ, ରାଜନଗର ରେଞ୍ଜ ଅଧିନରେ 6ଟି ଟିମ, ଗହୀରମଥା ରେଞ୍ଜ ଅଧିନରେ 3ଟି ଟିମ, ମହାକାଳପଡ଼ା ରେଞ୍ଜ ଅଧିନରେ 2ଟି ଟିମ ଓ କୁଜଙ୍ଗ ରେଞ୍ଜ ଅଧିନରେ 5ଟି ଟିମ ସକାଳୁ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି । ଭିତରକନିକା ପାଟିଆ, ଭାଣ୍ଡିତୁଠ ପାଟିଆ, ବଗଗହନ, ଖୋଳା, ନଳିତାପାଟିଆ, ଦୂର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆ, କାଳୀଭଞ୍ଜଡ଼ିଆ ସହ କଣ୍ଡିଆଖାଇରେ 2ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ସେହିପରି ରାଜନଗର ରେଞ୍ଜ ଅଧିନରେ ଥିବା ଜଉଦିଆ, ସାତଭାୟା, ମଗରକନ୍ଦା, 16ନମ୍ବର ଘେରି, ଅଙ୍ଗାରପାଟିଆ, ଚିଞ୍ଚିରିମୁହାଣ, କାକରପାଟିଆ, ଧାନଦିଆ, ରାଜପୁର, ଏକମାଣିଆ ଓ ହଂସୁଆ ପୋଲ ପର୍ଯ୍ୟନ୍ତ 6ଟି ଟିମ ଗଣନା କରୁଛନ୍ତି ।