ଓଡିଶା

odisha

ETV Bharat / state

ଦାଦନ ଦୁଃଖ: ଇଞ୍ଜିନିୟରିଂ ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ରୋଜଗାର ଆଶାରେ ଗାଁ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଉଚ୍ଚ ଶିକ୍ଷିତ ନାବାଳକ ସେଠାରେ ନିଯ୍ୟାତନାର ଶିକାର ହେଉଛନ୍ତି । ଏବେ ପୁଅକୁ ଫେରି ପାଇବାକୁ ପ୍ରଶାସନ ପାଖରେ ଆକୁଳ ନିବେଦନ କଲେ ପରିବାର ।

By

Published : Dec 17, 2020, 3:52 PM IST

ପୁଅକୁ ଫେରିପାଇବାକୁ ପରିବାରର ଆକୁଳ ନିବେଦନ
ପୁଅକୁ ଫେରିପାଇବାକୁ ପରିବାରର ଆକୁଳ ନିବେଦନ

କେନ୍ଦ୍ରାପଡା:ରୋଜଗାର ଆଶାରେ ଗାଁ ଛାଡିଥିଲେ ନାବାଳକ ଇଞ୍ଜିନିୟରିଂ ଛାତ୍ର । ହେଲେ ଏବେ ସୂଦୂର ତାମିଲନାଡୁରେ ଯନ୍ତ୍ରଣାପୂର୍ଣ୍ଣ ଜୀବନ ବଞ୍ଚିବାକୁ ପଡୁଛି । ପୁଅର ଏହି ଦୁର୍ଦ୍ଦଶା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଦୁଃଖ ଜଣାଇଛି ଦୁଃଖିନୀ ମା’ । କେବେ ଅତ୍ୟାଚାରୀ ଠିକାଦାର କବଳରୁ ପୁଅ ତୁଷାର ଘରକୁ ଫେରିବ, ତା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ ।

ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ଇଞ୍ଜିନିୟରିଂ ଛାତ୍ର

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଉଛରପଡା ଗାଁର ତୁଷାର ମଲ୍ଲିକ, ଇଞ୍ଜିନିୟରିଂ ପାଠ ପଢି ଜଣେ ଇଞ୍ଜିନିୟର ହୋଇ ଘରର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦେଖିଥିଲା ଅନେକ ସ୍ବପ୍ନ। ହେଲେ କୋରୋନା ସେ ଆଶାକୁ ଧୂଳିସାତ କକରିଦେଲା। ପରିବାର ନିକଟରେ ଯାହା ସମ୍ବଳ ଥିଲା, କୋରୋନା ସମୟରେ ଶେଷ ହୋଇଯିବାରୁ ନିଜେ ପରିବାରର ବୋଝ ହାଲୁକା କରିବା ପାଇଁ କାଳନ୍ଦୀ ନାମକ ଜଣେ ସ୍ଥାନୀୟ ଠିକାଦାରଙ୍କ କଥାରେ ରାଜି ହୋଇ କାମ କରିବାକୁ ବାହାରି ପଡିଥିଲା ଭୁବନେଶ୍ବର ।

ମାତ୍ର ଭୁବନେଶ୍ବରରେ ପହଞ୍ଚିବା ପରେ କାଳନ୍ଦୀ ଓ ତାର ଆଉଜଣେ ସାଥି ପ୍ରଶାନ୍ତଙ୍କ ସହ ତୁଷାରର ଦେଖା କରାଇବା ପରେ ତାମିଲନାଡୁରେ ଅଧିକ ପଇସା ରୋଜଗାର କରିହେବ ବୋଲି ଆଶା ଦେଇ ତୁଷାରକୁ ତାମିଲନାଡୁ ପଠାଇ ଦେଇଥିଲେ । କେବଳ ତୁଷାର ନୁହେଁ ଉଛରପଡା ଗାଁର ସୋମନାଥ, ବବୁଲ ଓ ସରୋଜ ନାମକ ଆଉ ତିନିଜଣ ନାବାଳକଙ୍କୁ ମଧ୍ୟ ତାମିଲନାଡୁ ନେଇଯିବାରେ ସକ୍ଷମ ହୋଇଥିଲେ କାଳନ୍ଦୀ ଓ ପ୍ରଶାନ୍ତ।

ତେବେ ଏମାନେ ତାମିଲନାଡୁରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ଦୈନିକ ୧୨ଘଣ୍ଟା ପରିଶ୍ରମ କରାଉଥିଲା ଠିକାଦାର, କିନ୍ତୁ ଠିକ ଭାବେ ଖାଇବାକୁ ମିଳୁନଥିଲା, ପଇସା ମାଗିଲେ ମିଳୁଥିଲା ମାଡ଼ ଆଉ ଗାଳି। ତେବେ ଏସବୁ କଥା ଘରକୁ ଫୋନ ଯୋଗେଁ ଏହି ଚାରି ନାବାଳକ ଜଣାଇବା ପରେ ବର୍ତ୍ତମାନ ଉଛରପଡା ଗାଁରେ ଏମାନଙ୍କ ଘରେ ଚୁଲି ଜଳୁନାହିଁ, ରନ୍ଧାବଢା ସବୁ ବନ୍ଦ । ତାମିଲନାଡୁରେ ପୁଅ ବନ୍ଦୀ ଜୀବନ ଯାପନ କରୁଥିବା ବେଳେ ଏଠି ମାବାପାଙ୍କ ଆଖିରୁ ବହୁଛି ଲୁହ । ଦାଦନର ଯନ୍ତ୍ରଣା ଯେ କେତେ କଷ୍ଟଦାୟକ ତାହା ଏମାନଙ୍କ ପାଖରେ ପ୍ରସ୍ଫୁଟିତ ହୋଇଛି ।

କାଳନ୍ଦିର ପ୍ରରୋଚନାରେ ଓ ପରିବାରର ଆର୍ଥିକ ସମସ୍ୟାର ସମାଧାନ ପାଇଁ ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଫସି ରହିଥିବା ଚାରି ନାବାଳକ ତୁଷାର, ବବୁଲୁ, ସୋମନାଥ ଓ ସରୋଜଙ୍କ ନିକଟରୁ ଅସାଧୁ ଠିକାଦାର ମୋବାଇଲ ଛଡାଇ ନେବା ସହିତ ନାନାଦି ଯନ୍ତ୍ରଣା ଦେଉଥିବାର ଅଭିଯୋଗ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ।

ତେବେ ପରିବାର ଲୋକଙ୍କ ଅଭିଯୋଗ ଶୁଣି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କହି ଏହାର ସମାଧାନର ବାଟ ବାହାର କରିବା ସହ ଖୁବଶୀଘ୍ର ଏହି ନାବାଳକ ମାନଙ୍କୁ ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details