କେନ୍ଦ୍ରାପଡା: ମହାବାତ୍ୟା ଅମ୍ଫାନ ଉଜାଡିଦେଲା ଘର । ଦିନ ମଜୁରିଆ ଭାବେ କାମ କରୁଥିବା ଲୋକଟିର ଘର ଭାଙ୍ଗିଯିବା ପରେ ବେସାହାରା ପରିବାର । ଦଇବ ସାଜିଲା ବଇରୀ । ଦିନ ମଜୁରିଆ ଭାବରେ କାମ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିବା ହରେକୃଷ୍ଣଙ୍କ ଉପରେ ମହାବାତ୍ୟା ଅମ୍ଫାନ କାଳ ଦିନ ନେଇ ଆସିଛି ।
କେନ୍ଦ୍ରାପଡ଼ା ବ୍ଲକ କୋରୋ ପଞ୍ଚାୟତର ପିଙ୍ଗଳ ଗାଁର ହରେକୃଷ୍ଣ ନିଜ ମା, ସ୍ତ୍ରୀ ଓ ଦୁଇପୁଅଙ୍କୁ ଧରି ଏକ ଚାଳ ଛପର ଘରେ ରହିଆସୁଛନ୍ତି । ଦୁଇ ବଖରା ଘର ଓ ଗୁହାଳ ଘର ଥିବା ଏହି ଘରେ ଗତ ଅମ୍ଫାନ ଦିନ ସକାଳୁ ଚା କରୁଥିବା ସମୟରେ ଏକ ବିରାଟ ଚାକୁଣ୍ଡା ଗଛ ପଡିଯିବାରୁ ଭୟରେ ଦୁଇପିଲା, ସ୍ତ୍ରୀ ଓ ମାଙ୍କୁ ଧରି ବାହାରକୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଥିଲେ ହରେକୃଷ୍ଣ । ତେବେ ବାତ୍ୟା ଶେଷ ହେବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଘର ଉପରୁ ଚାକୁଣ୍ଡା ଗଛ କଟାନଯିବା ଓ ଏହି ଗଛର ଚାପରେ ଛପର ଘର ନଷ୍ଟ ହେବା ଯୋଗୁଁ ମୁଣ୍ଡ ଗୁଞ୍ଜିବାକୁ ବାସ ନାହିଁ ହରେକୃଷ୍ଣଙ୍କ ପରିବାର ପାଖରେ । ସେପଟେ କୋରୋନା ଜନିତ ଲକଡାଉନ ଯୋଗୁଁ କାମଧନ୍ଦା ନପାଇ ଖାଇବା ପାଇଁ 2ଓଳି ଖାଦ୍ୟ ପାଇବା ମଧ୍ୟ କଷ୍ଟକର ହୋଇପଡିଛି ପରିବାର ପାଖରେ । ଅନ୍ୟପଟେ ସରକାରୀ ସାହାଯ୍ୟରୁ ବହୁ ଦୂରରେ ଥିବା ଏହି ପରିବାର ପାଇଁ ବାସଘର ଖଣ୍ଡିଏ ଯୋଗାଇ ଦେବାକୁ ହରେକୃଷ୍ଣଙ୍କ ମା ଅନୁରୋଧ କରିଛନ୍ତି ।