କେନ୍ଦ୍ରାପଡା: ନିର୍ବାଚନ ମଣ୍ଡଳୀ ସ୍ତରରେ ବୁଲୁଛନ୍ତି ନେତା ଆଉ ନେଉଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା ଆରମ୍ଭ କଲେଣି ଜିଲ୍ଲା ପରିଷଦ ପ୍ରାର୍ଥୀ । ଇଟିଭି ଭାରତର ‘‘ପଞ୍ଚାୟତ ଟକ୍କର’’ କାର୍ଯ୍ୟକ୍ରମରେ ଆମେ ପହଞ୍ଚିଥିଲୁ ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନ ଡେରାବିଶ୍ ବ୍ଲକ 13ନଂ ଜୋନରେ ।
ବିକାଶ ବନାମ ଦୁର୍ନୀତି ପ୍ରସଙ୍ଗ ନେଇ ଜୋରଦାର ଲଢେଇ ଗତ 2017 ନିର୍ବାଚନରେ ଏହି ଜୋନ ବିଜେଡି ଦଖଲରେ ଥିବା ବେଳେ 2012ରେ ମଧ୍ୟ ଏହି ଆସନଟି ବିଜେଡି ଭାଗରେ ଥିଲା । ଏହି 13ନଂ ଜୋନ ବେଣୀପୁର, ମଙ୍ଗଳପୁର, ଛୋଟୀ, ନହଙ୍ଗ, କୁଶିଆପାଳ, ଗୁଆଳସିଂ, ରଘୁଦେଇପୁର, କୁରୁଜଙ୍ଗା, କାଉପଡା ଓ କୁରୁଜଙ୍ଗା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏଠାରେ ଚଳିତ ଥର ମୋଟ 41791 ଜଣ ଭୋଟର ତିନି ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଏହି ଆସନଟି ପୂର୍ବଥର ଅନୁସୂଚିତ ଜନଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ଥର ଅନୁସୂଚିତ ଜାତି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ଗୀତାଞ୍ଜଳୀ ସେଠୀ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସମସ୍ତ ସମସ୍ୟାର ସମାଧାନ ହୋଇଛି ଓ କାଁଭାଁ ସମସ୍ୟାକୁ ସେ ବିଜୟୀ ହେଲେ ସମାଧାନ କରିବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଗୀତାଞ୍ଜଳୀ ପୂର୍ବରୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଆସିଥିବାରୁ ଏଠାରୁ ତାଙ୍କର ଦବଦବା ଅଧିକ ରହିଥିବା ଦେଖାଯାଇଛି । ସେହିପରି ବିଜେପି ଏହି ଆସନରୁ ନବାଗତ ପ୍ରାର୍ଥୀନୀ ଭାବେ ରଞ୍ଜିତା ସେଠୀଙ୍କୁ ମଇଦାନରେ ଓହ୍ଲାଇଛି । ପ୍ରଧାନମନ୍ତ୍ରୀଙ୍କ ସଫଳତା ଆଉ ରାଜ୍ୟ ସରକାରଙ୍କ ଦୁର୍ନୀତି ସହ କେବଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରି ବାହାବା ନେବା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ଗାଁ ଓ ବଜାରରେ ବୁଲି ପ୍ରଚାର ଆରମ୍ଭ କରିଛନ୍ତି ରଞ୍ଜିତା ।
ସେହିପରି ଏହି ଆସନରୁ ଜଣେ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଭାବେ ଅନୁସୟା ଦାସଙ୍କୁ ସମ୍ପୂର୍ଣ୍ଣ ନିର୍ବାଚନୀ ରଣକୌଶଳ ତିଆରି କରି ପ୍ରାର୍ଥୀ କରିଛି କଂଗ୍ରେସ । ଏଠାରୁ ଅନୁସୟାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଭିନ୍ନ ପଞ୍ଚାୟତରେ ମନରେଗା, ଆବାସ ଯୋଜନାରେ, କୃଷି ସମସ୍ୟା ସମେତ ରାସ୍ତାଘାଟ ନିର୍ମାଣରେ ହୋଇଥିବା ସରକାରୀ ଚଞ୍ଚକତାକୁ ଧରି ପ୍ରାର୍ଥୀ ଓହ୍ଲାଇଛନ୍ତି ପ୍ରଚାର କ୍ଷେତ୍ରକୁ । ଅନ୍ୟପଟେ ଭୋଟର ମଧ୍ୟ ନିର୍ବାଚନ ପାଇଁ ଆଗଭର ଅଛନ୍ତି । ଆସନ୍ତା 16 ତାରିଖରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ କିଏ ଓ କେଉଁ ଦଳ ଏହି ଆସନରେ ବାଜିମାତ କରିବ ତାହା ଫେବୃଆରୀ 26 ତାରିଖର ମତାଗଣନା ପରେ ହିଁ ଜଣାପଡିବ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ