କେନ୍ଦ୍ରାପଡା:ଆଜି ଓ ଆସନ୍ତା 22ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦ ରହିବ ମଦ ବିକ୍ରି । ସମସ୍ତ ସରକାରୀ ଠିପିଖୋଲା, ଠିପିବନ୍ଦ ଓ ଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅବକାରୀ ବିଭାଗ ଚିଠି ନଂ ୧୫୪/୧୬ରେ ଜାରି କରାଯାଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ ୧୬ ତାରିଖ ରାତି ସାଢ଼େ ଦଶରୁ ୧୮ ତାରିଖ ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବନ୍ଦ ରହିବ । ସେହିପରି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଭଳି ଶୁଭ ଦିନର ଅବ୍ୟବହିତ ପୂର୍ବରୁ ଅର୍ଥାତ ଜାନୁଆରୀ ୨୧ ତାରିଖ ରାତି ସାଢ଼େ ଦଶରୁ ୨୩ ତାରିଖ ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାରା ଦେଶରେ ଏବେ ରାମମୟ ପରିବେଶ ସାଙ୍ଗକୁ ରାଜ୍ୟରେ ଜଗନ୍ନାଥଙ୍କ ଜୟଜୟ କାର ଶୁଣିବାକୁ ମିଳୁଛି । ଏଭଳି ସ୍ଥଳରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧିକ୍ଷକ ଏହି ଚିଠିକୁ ସମସ୍ତ ମଦ ବ୍ୟବସାୟୀଙ୍କୁ ଜାରି କରିଥିବା ସୂଚନା ମିଳିଛି ।