ଓଡିଶା

odisha

ସହାୟତା ଅପେକ୍ଷାରେ ସହଦେବଙ୍କ ପରିବାର

By

Published : Aug 12, 2019, 10:11 AM IST

ତିନୋଟି ପିଲାଙ୍କ ଦାୟିତ୍ବ ମୁଣ୍ଡ ଉପରେ ଦେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବାମୀ । ଦିନ ମଜୁରୀରେ ଚଳୁଥିବା ତେଲ-ଲୁଣ ସଂସାରଟି ଏକାବେଳକେ ହୋଇପଡିଛି ନିଶ୍ବ । କେମିତି ଚଳିବ ପରିବାର, ପିଲାମାନେ କେମିତି ମଣିଷ ହେବେ, ସେ ଚିନ୍ତାରେ ଏବେ କବିତା । ଅପେକ୍ଷା ଏବେ ସରକାରୀ ସହାୟତାକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ଅଭାବ, ଦୁଃଖ ଓ ନିରାଶ୍ରିତ ହୋଇ କଟୁଛି ଜୀବନ । ରୋଜଗାରକ୍ଷମ ସ୍ବାମୀଙ୍କୁ ହରାଇବା ପରେ ଅଭାବ ଅସୁବିଧାର ଅମା ଅନ୍ଧକାର ଘୋଟି ଆସିଛି କବିତାଙ୍କ ଜୀବନରେ । ତିନିଟି ପିଲାଙ୍କ ଦାୟିତ୍ବ ଏବେ ତାଙ୍କ କାନ୍ଧରେ, କିପରି ଚଳିବ ପରିବାର କେମିତି ମଣିଷ ହେବେ ପିଲାମାନେ ସେହି ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର କବିତା ଦାସ । ଅଭାବରୁ କିଛିଟା ମୁକ୍ତି ପାଇବା ପାଇଁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ସେ ।

କବିତାଙ୍କ ସ୍ବାମୀ ସହଦେବ ଦାସ ମଜୁରୀ ଲାଗି ଟଙ୍କା ଆଣିଲେ ଚଳୁଥିଲା ତେଲ ଲୁଣର ସଂସାର । କିନ୍ତୁ ଚାରିବର୍ଷ ତଳେ ହଠାତ ସହଦେବଙ୍କ ଦେହ ଅସୁସ୍ଥ ହୋଇପଡିଲା । ଅପରେସନ ହେଲା ଆଉ ତା ପରେ ଜଣାପଡିଲା ସହଦେବ କର୍କଟ ରୋଗରେ ପୀଡିତ । ସ୍ବାମୀଙ୍କୁ ସୁସ୍ଥ କରିବା ପାଇଁ ସୁନା ଗହଣା ଜମି ବାଡି ସବୁ ବିକ୍ରି କରିଦେଲେ କବିତା । କିନ୍ତୁ ଅର୍ଥାଭାବରୁ ସଠିକ ଚିକିତ୍ସା ନ ପାଇ ଆଖି ବୁଜିଦେଲେ ସହଦେବ । ପଡୋଶୀ ଓ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ସହଦେବଙ୍କ ଶୁଦ୍ଧି କ୍ରିୟା ସରିଗଲା କିନ୍ତୁ ନିରାଶ୍ରା ପରିବାର ଚଳିବ କେମିତି ସେ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି କବିତା । ଗ୍ରାମବାସୀଙ୍କ ଦୟା ହେଲେ ଏହି ଅଭାବୀ ପରିବାରରେ ଚୁଲି ଜଳେ ନଚେତ ଉପବାସରେ ଦିନ କଟେ । ତେବେ କବିତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କବିତାଙ୍କ ବିଧବା ଭତ୍ତା ହୋଇପାରି ନାହିଁ, ରାସନ କାର୍ଡରେ ମିଳୁଥିବା ଚାଉଳ ଗଣ୍ଡାଏ ତାଙ୍କ ଭରସା। କେମିତି ପରିବାର ଚଳାଇବେ ପିଲାମାନେ କିପରି ପାଠ ପଢିବେ ସେ ନେଇ ଚିନ୍ତାରେ ସେ। ନିର୍ବାଚନ ବେଳେ ପୁଳା ପୁଳି ପ୍ରତିଶୃତି ଦେଇଥିବା ନେତା ଓ ମନ୍ତ୍ରୀଙ୍କ ନଜର କେବେ ଏହି ପରିବାର ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details