କେନ୍ଦ୍ରାପଡା: ବତ୍ୟା ଫନି କେନ୍ଦ୍ରାପଡାର 9ଟି ବ୍ଲକ ଓ 2 ପୌର ପାଳିକାରେ ତାଣ୍ଡବ ରଚିଥିଲା । ଅଣଚାଷ ପବନରେ ଛାରଖାର ହୋଇଯାଇଛି ଘରଦ୍ବାର । ମାଟିରେ ମିଶିଛି ସୁନାର ଫସଲ। ବାତ୍ୟାକୁ 15 ଦିନ ପୁରିଲାଣି ହେଲେ ବିପନ୍ନଙ୍କ ମୁହଁରେ ଫେରିନି ହସ । ବାତ୍ୟା ପରେ ରିଲିଫ ଓ ରନ୍ଧାଖାଦ୍ୟ ଦିଆଯାଇଥିଲା । ହେଲେ ଏଯାଏଁ କ୍ଷୟକ୍ଷତି ଆକଳନ ପାଇଁ କୌଣସି ସରକାରୀ ବାବୁଙ୍କ ଦେଖାନାହିଁ। ସେପଟେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଧୀମା ଗତିରେ ଚାଲୁଛି। ଫଳରେ ବାସହରା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଘାରିଛି ଭବିଷ୍ୟତ ଚିନ୍ତା ।
ରବି ଫସଲ ପାଇଁ ଋଣ କରିଥିବା ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଆଉ ଏଭଳି ସ୍ଥିତିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମସ୍ୟା ଦେଖାଯାଇ ଥିବାବେଳେ, ରାଜସ୍ୱ ନିରୀକ୍ଷିକ (ଆରଆଇ) କ୍ବଚିତ ସ୍ଥାନ ଗସ୍ତକରି ନିଜ ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଛି । ଯାହାଦ୍ବାରା ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ।