ଓଡିଶା

odisha

ETV Bharat / state

ନିର୍ମାଣଧିନ ପୋଲ ଭୁଶୁଡିବା ଘଟଣା: ଜିଲ୍ଲାପାଳ କହିଲେ ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ - କେନ୍ଦ୍ରାପଡ଼ାରେ ଭୁଶୁଡିଲା ପୋଲ

କେନ୍ଦ୍ରାପଡ଼ା ଜିଲ୍ଲା ଗୋଦାବରୀ ନଦୀ ଉପରେ ନିର୍ମାଣଧିନ ବାଇପାସର ପୋଲ ଭୁଶୁଡିବା ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ଭୁଶୁଡିଲା ପୋଲ
bridge collapse in kendrapara

By

Published : Mar 15, 2023, 10:05 PM IST

ନିର୍ମାଣଧିନ ପୋଲ ଭୁଶୁଡିବା ଘଟଣା

କେନ୍ଦ୍ରାପଡ଼ା:ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା ତଦନ୍ତ କରାଯିବ । ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ବୈଷୟିକ ଟିମ ଏହାର ତଦନ୍ତ ପରେ ପଦକ୍ଷେପ ନିଆଯିବ । ପୋଲର ସ୍ଲାପ ସୁରକ୍ଷିତ ଥିବାବେଳେ କେବଳ ଗ୍ରାଇଡର ଭାଙ୍ଗିଛି । ତେଣୁ ପୋଲ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । ଗୋଦାବରୀ ନଦୀ ଉପରେ ନିର୍ମାଣଧିନ ବାଇପାସର ପୋଲ କାମ ଚାଲୁଥିବାବେଳେ ୨୦୦ ମିଟର ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ସୌଭାଗ୍ୟବସତଃ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ବର୍ତ୍ତିଯାଇଛନ୍ତି ।

ନିମ୍ନମାନର କାମ ଉପରେ ପ୍ରଶ୍ନ ଉଠିଥିବାରୁ ଏହାର ତଦନ୍ତ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । ମୁଖ୍ୟ ପୋଲ ଉପରେ ଗ୍ରାଇଡର ବସାଇବା ସମୟରେ କୌଣସି କାରଣରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗ୍ରାଇଡର ଭୁଶୁଡି ପଡିବା ସମୟରେ ବିରାଟ ଶବ୍ଦ ଆଖପାଖ ଅଞ୍ଚଳକୁ ଦୋହଲାଇ ଦେଇଥିଲା । ଗ୍ରାଇଡର କାହିଁକି ଭାଙ୍ଗିଲା ଏବଂ ଏହା ନିର୍ମାଣରେ ARSS କମ୍ପାନୀ, ପୂର୍ତ୍ତ ବିଭାଗ ଅଧିକାରୀ କେଉଁ ପ୍ରକାର ସାବଧାନତା ଓ ନିୟମାବଳୀ ଅବଲମ୍ବନ କରିଥିଲେ ସେଗୁଡିକୁ ଧ୍ୟାନ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ଏହି କାମର ଉଭୟ ପାର୍ଶ୍ଵରେ ସୂଚନା ଫଳକ ଓ ନାଗରିକ ଫଳକ ନଥିବା ନେଇ ଅଭିଯୋଗ ଆସିଥିଲା । ଏପଟେ ପୋଲର କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା । ତେଣୁ କେହି ଲୋକ ଏହାକୁ ଭାଙ୍ଗିଛନ୍ତି ଅବା ନିଜେ ଭୁଶୁଡି ପଡ଼ିଛି ତାର ତଦନ୍ତ କରାଯିବ । ତେବେ ଗ୍ରାଇଡ଼ର ବସାଇବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜିଲ୍ଲାପାଳ କହୁଥିବା ବେଳେ ମଙ୍ଗଳବାର ରାତିରେ ହିଁ ଏହି ଗ୍ରାଇଡରକୁ ମୁଖ୍ୟ ପୋଲ ଉପରେ ବସା ଯାଇଥିଲା ଏବଂ ସକାଳେ ଏହା ଭୁଷୁଡିପଡିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏଭଳି ଏକ ଘଟଣା ଘଟିବା ପରେ ଆଗାମୀ ଦିନରେ ଯେଭଳି ଏପରି ନଘଟେ ସେଥିପ୍ରତି ବିଶେଷ ଗୁରୁତ୍ବ ଦିଆଯିବ । ଏଥିସହ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ହିଁ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ପ୍ରକଳ୍ପର ମୂଲ୍ୟ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନକୁ ଜିଲ୍ଲାପାଳ ଏଡାଇ ଦେଇ ଭୁଶୁଡି ପଡିଥିବା ଗ୍ରାଇଡରର ମୂଲ୍ୟ ଅଧିକ ନୁହେଁ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ପ୍ରଥମେ ୪୦ କୋଟି ବ୍ୟୟ ଅଟକଳରେ ଏହି ପୋଲ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୬ ନଭେମ୍ବର ୮ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହି ସମୟରୁ ଦ୍ଵିତୀୟ ବାଇପାସ ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଓ ଆଶା ଭରି ରହିଥିଲା । ତେବେ ପୋଲ ନିର୍ମାଣ ସମୟରେ ଭୁଶୁଡି ପଡିବା ପୋଲର ସ୍ଥାୟିତ୍ୱ ଏବଂ ଠିକା କମ୍ପାନୀର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ପୋଲ ଭୁଷୁଡିବାର ୬ ଘଣ୍ଟା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details