କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ମହାଦୁର୍ନିତୀ ହେଉଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ବେଆଇନ ଭାବରେ ପେପର ଟେଣ୍ଡର ବିକ୍ରି ହେଉଛି। ଏହାକୁ ନେଇ ଇଟିଭି ଭାରତ ହାତରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ଅବସରପ୍ରାପ୍ତ କର୍ମାଚାରୀ ଟେଣ୍ଡର ପେପର ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହାସହ ଏସଡିଓ ଯେଉଁ ଠିକାଦାରଙ୍କ ନାମ ଲେଖିକି ଦେଉଛନ୍ତି ତାଙ୍କୁ ହିଁ ଟେଣ୍ଡର ପେପର ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣ ଓ ଟ୍ୟୁବୱେଲ ଖୋଳିବା ପାଇଁ ଟେଣ୍ଡର ଡକାଯାଇଥିଲା। ଏଥିପାଇଁ ନଭେମ୍ବର ମାସ 4 ତାରିଖରେ ଆଇଡି ନମ୍ବର 32ରେ 12ଟି ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଭଳି ନଭେମ୍ବର 7 ତାରିଖରେ ଆଇଡି ନମ୍ବର 33ରେ ପୁନର୍ବାର 12ଟି ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ନଭେମ୍ବର 11 ତାରିଖରେ ଆଇଡି ନମ୍ବର 34ରେ 8ଟି ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତିନୋଟି ଆଇଡିରେ ମୋଟ 32ଟି କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ବେଆଇନ ଭାବରେ ଠିକାଦାରଙ୍କ ଟେଣ୍ଡର ଦିଆଯାଉଛି। ଏସଡିଓ ଯାହାଙ୍କ ନାମ ଲେଖିକି ଦେଉଛନ୍ତି ସେହି ଠିକାଦାରମାନଙ୍କୁ ଟେଣ୍ଡର ଦିଆଯାଉଛି। ଖାଲି ସେତିକି ନୁହେଁ ଟେଣ୍ଡର ପେପର ବିକ୍ରି କରୁଛନ୍ତି 4 ବର୍ଷ ପୂର୍ବରୁ ଅବସର ନେଇ ସାରିଥିବା ଜଣେ କର୍ମଚାରୀ।
ସତ୍ୟ ବାରିକ ନାମକ ଜଣେ କର୍ମଚାରୀ ଏହି ଟେଣ୍ଡର ପେପର ବିକ୍ରି କରୁଛନ୍ତି। ସତ୍ୟ ବାରିକଙ୍କ ଅବସର ପରେ ଏହି ସ୍ଥାନରେ ହୃଦାନନ୍ଦ ଭୋଳ ନାମକ କର୍ମଚାରୀ ଏହି କାର୍ଯ୍ୟ ସମ୍ଭାଳିବା କଥା। କିନ୍ତୁ ତାହା ଦେଖିବାକୁ ମିଳିନାହିଁ। ବେଆଇନ ଭାବରେ ଟେଣ୍ଡର ବିକ୍ରି ହେଉଥିବା ନେଇ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗର ଆଉ ଜଣେ କର୍ମଚାରୀ ସ୍ପଷ୍ଟ ଭାବରେ ବୁଝାଉଥିବା ଦେଖିବାକୁ ମିଳିଛି।