କେନ୍ଦ୍ରାପଡ଼ା: ନିକିରାଇ ପଞ୍ଚାୟତ ଅଧିନ ମଠସାହିରେ ଅଛି ମଦନମୋହନଜୀଉ ମନ୍ଦିର । ମନ୍ଦିରରେ ମଦନମୋହନଙ୍କ ମୁଗୁନି ପ୍ରସ୍ତର ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ,ରାଧାରାଣୀ, ଗୋପୀନାଥଜୀଉଙ୍କ ସମେତ ଅନ୍ୟୁନ 15 ମୂର୍ତ୍ତି ପୂଜା ପାଇଥାନ୍ତି । ଠାକୁରଙ୍କ ନୀତିକାନ୍ତି ଯଥାରୀତି ପାଳନ ହେଉଥିବାବେଳେ ପ୍ରତ୍ୟେହ ଏଠାରେ ନିଯୋଗୀ ସେବକ ତଥା ଜନସାଧାରଣଙ୍କ ଦ୍ବାରା କୀର୍ତ୍ତନ କରାଯାଏ। ଏଠାରେ 12 ମାସରେ 13 ପର୍ବ ପାଳନ କରାଯାଏ। ମନ୍ଦିର ତଥା ମଠର ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ ଓ ରୀତିନୀତି ପାଇଁ 160 ଏକର ଜମି ରହିଛି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ପିଢ଼ି ପରେ ପିଢ଼ି ରହି ଆସୁଥିବା ବିଲେଇ ମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି 5 ଏକର ଜମି ।
କ୍ଷୀର ଭାତ ଖାଇବାକୁ ଭଗବାନଙ୍କ ଠାରେ ମେଳି ବାନ୍ଧନ୍ତି ବିଲେଇ ଲୋକକଥା ଅନୁଯାୟୀ ପ୍ରାୟ 500 ବର୍ଷ ତଳର ଏହି ମନ୍ଦିରକୁ ଆଳି ରାଜା 1744 ମସିହାରେ କେବଳ ବିଲେଇ ମାନଙ୍କ ଖାଦ୍ୟ ଓ ପୋଷଣ ପାଇଁ ଦାନ କରିଛନ୍ତି 5 ଏକର ଜମି। କିମ୍ବଦନ୍ତୀ ଅନୁସାରେ, ଆଳି ରାଜା ବ୍ରଜସୁନ୍ଦର ଦେବ ଏହି ପଥ ମଧ୍ୟଦେଇ ରାଜନଗରକୁ ଯାଉଥିବାବେଳେ ତାଙ୍କୁ କାନ୍ଧରେ ବୋହି ଆଣୁଥିବା ସବାରୀ ମାନଙ୍କର ପାଦ ଫୁଲିବାରୁ ମଠ ଠାରୁ କିଛି ଦୂରରେ ସେମାନେ ବିଶ୍ରାମ ନେଲେ। ରାଜା ବ୍ରଜସୁନ୍ଦର ଦେବ ନିକଟରେ କୌଣସି ମଠ କିମ୍ବା ମନ୍ଦିରରେ ବିଶ୍ରାମ ନେବା ପାଇଁ ଚାହିଁବାରୁ ଆଲଟ ସମୂହ ଉକ୍ତ ମଦନମୋହନ ମନ୍ଦିର ତଥା ମଠର ମହନ୍ତ ବ୍ରଜମୋହନ ଦାସଙ୍କୁ ରାଜାଙ୍କର ବିଶ୍ରାମ ସମ୍ବନ୍ଧରେ ଅବଗତ କରାଇଲେ।
ତେବେ ମହନ୍ତ ବ୍ରଜମୋହନ, ଆଳି ରାଜା ବ୍ରଜସୁନ୍ଦର ଦେବଙ୍କୁ ପାଛୋଟି ଆଣିବାକୁ ଯିବା ସମୟରେ ପ୍ରାୟ 500ରୁ ଊର୍ଦ୍ଧ୍ବ ବିଲେଇ ମହନ୍ତଙ୍କ ସହିତ ରାଜାଙ୍କ ପାଖକୁ ଯାଇଥିଲେ। ରାଜା ବ୍ରଜସୁନ୍ଦର ଦେବ ଶତାଧିକ ବିଲେଇମାନଙ୍କୁ ମହନ୍ତଙ୍କ ସହିତ ଆସିଥିବା ଓ ମନ୍ଦିରରେ ବିଶ୍ରାମ ନେବା ସମୟରେ ଏହି ବିଲେଇମାନଙ୍କ ପାଇଁ ଏତେ ପରିମାଣରେ ଖାଦ୍ୟ କେଉଁଠୁ ଆସୁଛି ପଚାରିବା ପରେ ମହନ୍ତ ବ୍ରଜମୋହନ ଦାସ ଉତ୍ତରରେ ଏହି ବିଲେଇମାନେ ମଦନମୋହନଙ୍କ ପାଖରେ ଲାଗି କରାଯାଉଥିବା ଖାଦ୍ୟକୁ ଖାଉଥିବା କହିଥିଲେ। ଏହାପରେ ରାଜା ଖୁସି ହୋଇ ନିଜ ପାରିଷଦଙ୍କୁ ବିଲେଇମାନଙ୍କ ଖାଦ୍ୟ ପାଇଁ 5ଏକର ସମ୍ପତ୍ତି ଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ଠାରୁ ଏହି ମଠର ନାମ "ବିଲେଇଖିଆ" ନାମରେ ଖ୍ୟାତିଲାଭ କରିଛି ।
ହେଲେ ଏତେ ପରିମାଣରେ ଜମି ଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ହେଉନାହିଁ । କାରଣ ଭାଗ ଚାଷ ହେଉଥିବା କାରଣରୁ ଚାଷୀମାନେ ସିଂହ ଭାଗ ଉତ୍ପାଦିତ ଖାଦ୍ୟଶସ୍ୟ ନେଉଥିବା ବେଳେ ଅବଶିଷ୍ଟାଂଶ ଖାଦ୍ୟଶସ୍ୟରେ ପୁନେଇ ପର୍ବ ଓ ମନ୍ଦିରର ବାର୍ଷିକୋତ୍ସଵ କରିବା ସମ୍ଭବପର ନୁହେଁ। ଏଭଳି ଏକ ବିରଳ ସ୍ଥାନକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ସହିତ ପର୍ଯ୍ୟଟନ କେନ୍ଦ୍ରଟିଏ ଖୋଲିଲେ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ମନ୍ଦିର ପାଇଁ କିଛି ଆୟ ହୋଇପାରନ୍ତା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ