କେନ୍ଦ୍ରାପଡ଼ା:"ମୋର ଟଙ୍କା ଦରକାର ନାହିଁ । ମୋର କାମ ଭଲ ତ ମୁଁ ଭଲ ।" ଏଭଳି କିଛି ଗୁଣୁଗୁଣୁ ହୋଇ କହିବା ସହ ଖରସ୍ରୋତା ସେତୁ ସଫା କରିବାରେ ବ୍ୟସ୍ତ ରହିଛନ୍ତି ଜଣେ ବ୍ୟକ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣା ପଡ଼ୁଛି । ଏହାସତ୍ତ୍ବେ ସେ ସେତୁ ସୁରକ୍ଷା କଥା ଚିନ୍ତା କରି ଏହାକୁ ସଫା କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି ।
ନିଃସ୍ବାର୍ଥ ସେବାର ଉଦାହରଣ, ଖରସ୍ରୋତା ସେତୁ ସଫା କରି ଚର୍ଚ୍ଚାରେ ମାନସିକ ବିକୃତ ସମାଜ ତାଙ୍କୁ ମାନସିକ ବିକୃତ କୁହେ, ହେଲେ ଆଜି ସେ ନିଜ କର୍ମ ପାଇଁ ବେଶ ପରିଚିତ । ଏହି ବ୍ୟକ୍ତି ଜଣଙ୍କୁ ନାମ ପଚାରିବାରୁ ଭଲ ଭାବେ କହି ପାରୁନାହାନ୍ତି । ଗାଁ କଥା ପଚାରିଲେ କହୁଛନ୍ତି ମୋର ଗାଁ ନାହିଁ । କାମ ସରିଲେ ତଳ ଆଡ଼ ଗାଁକୁ ଚାଲିଯିବି । ବିନା ସ୍ବାର୍ଥରେ ସେ ୫୦୦ ମିଟର ସେତୁ ସଫେଇ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ବିସ୍କୁଟ ପାଣି ଦେଇଥିଲେ । ଏହାପରେ କାହିଁକି ଏହି କାମ କରୁଛନ୍ତି ବୋଲି ପଚାରିଥିଲେ ।
ବ୍ୟକ୍ତି ଜଣକ ଜବାବରେ କହିଥିଲେ, "ମୋର ଟଙ୍କା ଦରକାର ନାହିଁ, ଭଲ କାମ କରିବି" । ଏହି ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ଆଳି ବ୍ଲକ ଗୋବିନ୍ଦପୁର ଖରସ୍ରୋତା ନଦୀ ସେତୁ ଦୁଇ ପାର୍ଶ୍ବରେ ଉଠିଥିବା ଅନାବନା ଘାସ ସଫା କରିବାରେ ଲାଗି ପଡ଼ିଛନ୍ତି । ଏହି ଘାସ ଯୋଗୁଁ ସେତୁ ଉପରେ କାଦୁଅରେ ଭର୍ତ୍ତି ହେବା ସହ ଲୋକଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି କରୁଥିଲା । ଏହାକୁ ଦିନ ତମାମ୍ ଲାଗି ସଫା କରୁଥିଲେ ବ୍ୟକ୍ତି ଜଣକ ।
ଏହି ସେତୁ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ସେତୁ ସଫେଇ ହେଉନଥିବାରୁ ପ୍ରଶାସନକୁ ଦୋଷ ମଧ୍ୟ ଦେଉଛନ୍ତି । ହେଲେ କେହି ଜଣେ ସେତୁକୁ ସଫା କରିବାକୁ ଆଗେଇ ଆସିନଥିଲେ । ଆଜି ଏହି ବ୍ୟକ୍ତି ଜଣକ ଯାହା କରିଛନ୍ତି ସଭ୍ୟ ସମାଜ ସାମ୍ନାରେ ଏକ ବିରାଟ ପ୍ରଶ୍ନ ଠିଆ କରିଛନ୍ତି । ଏଭଳି ଏକ କାର୍ଯ୍ୟ କରି ସମାଜ ଆଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯୁବକ ଜଣକ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା