କେନ୍ଦ୍ରାପଡା: ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି କୁମ୍ଭୀର ଆତଙ୍କ । ରାଜନଗର, ପଟ୍ଟାମୁଣ୍ଡାଇ ପରେ ଏବେ ମାର୍ଶାଘାଇ । କେନ୍ଦ୍ରାପଡ଼ାର ଅଧିକାଂଶ ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି । କୁମ୍ଭୀର ଆକ୍ରମଣରେ ଅତିଷ୍ଠ ଜିଲ୍ଲାବାସୀ । କେନ୍ଦ୍ରାପଡ଼ା ଲୁଣାନଦୀରେ ଗାଧଉଥିବା ବେଳେ ପ୍ରାୟ ୮ ଫୁଟ ଲମ୍ବର ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ମୃତ୍ୟୁକୁ ପାଖରୁ ଦେଖି ଭୟଭୀତ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ନଦୀକୂଳିଆ ଗ୍ରାମବାସୀ । ପ୍ରଶାସନ କେବଳ ପ୍ରଚାର କାମ ସାରି ଚୁପ ବସି ଯାଉଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଶୋଟିବାଲି ଗ୍ରାମରେ କୁମ୍ଭୀର ଆତଙ୍କ । ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀରେ ଗତ କିଛିଦିନ ହେବ କୁମ୍ଭୀର ଚଳପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଆଜି ମଧ୍ୟାହ୍ନରେ କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ପ୍ରାୟ ୮ ଫୁଟ ଲମ୍ବର ଏକ କୁମ୍ଭୀର ହଠାତ୍ କୈଳାସଙ୍କ ନିକଟକୁ ମାଡ଼ି ଆସିଥିଲା । କୈଳାସ ପାଣି ସୁଅକୁ ଦେଖି ଛାନିଆ ହୋଇ ଉପରକୁ ଦୌଡ଼ି ଚାଲି ଆସିଥିଲେ ।
କୁମ୍ଭୀରକୁ ଦେଖିବା ପରେ କୈଳାସ ଅଧା ଗାଧୁଆ ଛାନିଆ ହୋଇ ଘରକୁ ପଳାଇ ଆସି ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀ କୈଳାସ ଗାଧଉଥିବା ସ୍ଥାନରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଲେ କୁମ୍ଭୀର ଦୃଶ୍ୟମାନ ହୋଇନଥିଲା । କଶୋଟିବାଲି ଗ୍ରାମରେ ବସବାସ କରୁଥିବା ୯ଶହରୁ ଅଧିକ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।