କେନ୍ଦ୍ରାପଡା:ପହିଲି ରଜରେ ଲଜ୍ଜା । ଝିଅ ଘରକୁ ଭାର ଧରି ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହେଲେ 80 ବର୍ଷିୟ ବୃଦ୍ଧା । ଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଗଲେ ଯୁବକ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ।
ମିଳିଥିବା ସୂଚନା ଅନୁୟାୟୀ, ଗତକାଲି (ବୁଧବାର) ରଜ ଅବସରରେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ଝିଅ ଘରକୁ ପିଠା ଓ ଫଳମୂଳ ଧରି ଘରୁ ବାହାରିଥିଲେ । ଅଟୋକୁ ଅପେକ୍ଷା କରି ସେ ରାସ୍ତାରେ ଛିଡା ହୋଇଥିଲେ । ଦିନ ଦ୍ବିପହରରେ କୌଣସି ଅଟୋ ନମିଳିବାରୁ ଜଣେ ଯୁବକ ବୃଦ୍ଧାଙ୍କୁ ତାଙ୍କ ଝିଅ ଘରେ ଛାଡି ଦେବାକୁ କହି ବାଇକରେ ବସାଇଥିଲେ । କିଛି ବାଟ ଯିବା ପରେ ଯୁବକ ଜଣଙ୍କ ବାଇକଟିକୁ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏକ ନିଛାଟିଆ ସ୍ଥାନ ପୋଲ ନିକଟରେ ଅଟକାଇଥିଲେ । ଏହାପରେ ବୃଦ୍ଧାଙ୍କ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଯୁବକ ଜଣଙ୍କ । ଘଟଣାର କେଇ ଘଣ୍ଟା ପରେ ବୃଦ୍ଧା ଜଣଙ୍କ ପୋଲ ଉପରକୁ ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।