କେନ୍ଦ୍ରାପଡା:ଲିଫ୍ଟ ଦେବା ଆଳରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା । ଏହି ଲଜ୍ଜାଜନକ ଘଟଣାକୁ ମାସେ ପୁରିବାକୁ ବସିଲାଣି, ହେଲେ ପୋଲିସ ଅଭିଯୁକ୍ତକୁ ଧରିବାରେ ଏଯାଏଁ ସଫଳ ହୋଇପାରିନି । ଅପରାଧି ପାଖରେ ପହଞ୍ଚିବା ତ ଦୂରର କଥା, ତା'ର ଟେର୍ ପାଇ ପାରୁନାହିଁ ପୋଲିସ । ପୋଲିସର ଏହି ଅପାରଗତାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଏକାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସଂସାରଫଳ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ
ଏହି କାରଣରୁ ରାଜନଗର-ପଟ୍ଟାମୁଣ୍ଡାଇ ରାଜ୍ୟ ରାସ୍ତାରେ ଶହଶହ ଗାଡି ଅଟକି ରହିଥିଲା । ଗ୍ରାମାଞ୍ଚଳ ଥାନା ଦାୟିତ୍ବରେ ଥିବା ଏସଆଇ ଅନ୍ତର୍ଯ୍ୟାମୀ ବିଶ୍ବାଳ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରି ଅଭିଯୁକ୍ତକୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । ତେବେ ସପ୍ତାହେ ଭିତରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ମହିଳାମାନେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।