କେନ୍ଦ୍ରାପଡା: ସ୍କୁଲ ଯିବା ଓ ସାଙ୍ଗସାଥି ମେଳରେ ଖେଳିବା ବୟସରେ ସେ ପରିବାର ଲୋକଙ୍କ ସେବା କରୁଛି । କେତେବେଳେ ବାପା ମା'ଙ୍କ ପାଇଁ ସେ ରାମାୟଣର ଶ୍ରବଣ କୁମାର ପାଲଟି ଯାଉଥିବା ବେଳେ ଆଉ କେତେବେଳେ ଲକ୍ଷ୍ମଣର ଭୂମିକା ନିର୍ବାହ କରିବାକୁ ପଡୁଛି ଏହି ବାଳକକୁ। ତିନିଜଣ ରୋଗୀଙ୍କୁ ଧରି ଏକ ଦୁଃଖଭରା ସଂସାରକୁ ଚଳାଉଛି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର। ଏହି ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇର ପ୍ରଥମେଶ କୁମାର ବେହେରା ।
କଅଁଳ କାନ୍ଧରେ ପରିବାର ବୋଝ, ଭିକ ମାଗିଲେ ପୋଷୁଛି ପେଟ
ଭାଗ୍ୟକୁ ଆଦରି ମନରେ ଅନେକ ଆଶଙ୍କା ନେଇ ବିଛଣାରେ ପଡି ଚାହିଁ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁର ୪୦ ବର୍ଷୀୟ ପବିତ୍ର କୁମାର ବେହେରା। ବିଛଣାରୁ ଉଠିବାକୁ ବଳ ପାଉନାହିଁ କି ଔଷଧ ଖାଇବାକୁ କାଣି କଉଡିଟିଏ ବି ପାଖରେ ନାହିଁ । ଆଣ୍ଠୁଗଣ୍ଠି ରୋଗ ଅଚଳ କରିଦେଇଛି ତାଙ୍କୁ। ବିଛଣାରେ ପଡିପଡି ଦେହହାତରେ ଘା ହେଲାଣି। ଗତ ୪ମାସ ଆଗରୁ ଗାଁ ପାଖ ବଡପାଳ ବଜାରରେ ଛୋଟ ଜଳଖିଆ ଦୋକାନଟିଏ କରିଥିଲେ ପବିତ୍ର। ଦିନକୁ ଯାହା ରୋଜଗାର ହୁଏ ସୁଖେଦୁଃଖେ ପରିବାର ଚଳିଯାଉଥିଲା। ପବିତ୍ରଙ୍କ ପ୍ରଥମ ସନ୍ତାନ ଭାବେ ଏକ ଭିନ୍ନକ୍ଷମ ପୁଅ ଜନ୍ମ ନେଇଥିଲେ ମଧ୍ୟ ବାପ ମାଙ୍କ ସ୍ନେହଶ୍ରଦ୍ଧା କେବେ ପୁଅକୁ ଅଣଦେଖା କରିନଥିଲା। ଏହାପରେ ଅର୍ଥାତ ଗତ ୯ବର୍ଷ ତଳେ ପବିତ୍ରଙ୍କ ସ୍ତ୍ରୀ ଚମ୍ପାବତୀ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହେଲେ। ସ୍ତ୍ରୀର ଚିକିତ୍ସା ପାଇଁ ପବିତ୍ର ଗାଁରେ ଥିବା ନିଜର ଘରଢିଅ ଖଣ୍ଡିକ ବିକିଦେଇ ସ୍ତ୍ରୀକୁ ଚିକିତ୍ସା କରାଇଲେ। ପରେ ମୁଣ୍ଡଗୁଞ୍ଜିବା ପାଇଁ ଗାଁର ଏକ ସରକାରୀ ଜମିରେ ଛୋଟ ଚାଳିଆ ତିଆରି କରି ରହିବା ଆରମ୍ଭ କଲେ ପବିତ୍ର ଓ ତାଙ୍କ ପରିବାର।
ଭାଗ୍ୟର ବିଡମ୍ବନା ସ୍ତ୍ରୀର ରୋଗ ଭଲ ହୋଇନଥିବା ବେଳେ ଗତ ୪ମାସ ତଳେ ପବିତ୍ର ମଧ୍ୟ ସେହି ଆଣ୍ଠୁଗଣ୍ଠି ରୋଗରେ ପଡ଼ି ଶଯ୍ୟାଶାୟୀ ହୋଇଗଲେ। ତେବେ ପବିତ୍ରଙ୍କ ପରିବାରର ଏହି ଦୁର୍ଦ୍ଦିନରେ ଏକମାତ୍ର ସାହାରା ପାଲଟିଛନ୍ତି ତାଙ୍କର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ୭ ବର୍ଷର ପୁଅ ପ୍ରଥମେଶ । ପ୍ରଥମେଶ ଏବେ ଭିନ୍ନକ୍ଷମ ବଡଭାଇ ପାଇଁ ବଡ଼ଭାଇ ପାଲଟିଥିବା ବେଳେ ବାପା ପବିତ୍ର ଓ ମା ଚମ୍ପାବତୀଙ୍କ ପାଇଁ ପାଲଟିଛି ବାପମା। ପାଠପଢା ଏବେ ଆପାତତଃ ବନ୍ଦ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଘରେ ରୋଷେଇ କରିବା, ବିଛଣାରେ ପଡିଥିବା ବାପା ମା ଓ ବଡ ଭାଇଙ୍କୁ ଖୁଆଇଦେବା, ବାସନ ମାଜିବା, ଘର ଝାଡୁଦେବା ଓ ବିଛଣାରୁ ଉଠି ପାରୁନଥିବା ବାପା ମା ଭାଇଙ୍କ ଝାଡା ପରିଶ୍ରା କରାଇବା ଆଦି ସେବା କରିବା ପ୍ରଥମେଶଙ୍କ ପାଇଁ ଏବେ ମୁଖ୍ୟ କାମ ପାଲଟିଛି। ପ୍ରଥମେଶର ବୟସ ନଅ ବର୍ଷ ଓ ସେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ଦୁନିଆ ଜାଣିନଥିବା ଏକ କଅଁଳ ପିଲା ଉପରେ ନିର୍ଭର କରୁଛନ୍ତି ପ୍ରଥମେଶଙ୍କ ବାପା ପବିତ୍ର କୁମାର ବେହେରା,ମା ଚମ୍ପାବତୀ ବେହେରା ଓ ବଡ଼ଭାଇ। ଏମିତି ଚାଲିଛି ପବିତ୍ରଙ୍କ ଦୁଃଖର ସଂସାର। ଏତେ ବଡ ଦୁନିଆରେ ପବିତ୍ରଙ୍କ ଦୁଃଖ ଦେଖିବାକୁ କେହି ନାହାନ୍ତି । ସାଙ୍ଗସାଥୀଙ୍କ ସହ ପାଠପଢି ଗାଁ ଦାଣ୍ଡରେ ଖେଳକୁଦ କରୁଥିବା ତା ବୟସର ପିଲା ମାନଙ୍କୁ ଦେଖି ରଙ୍ଗବେରଙ୍ଗ ପୋଷାକ ପିନ୍ଧିବାକୁ ଇଚ୍ଛା ଥିଲେ ମଧ୍ୟ ଭଗବାନଙ୍କର ଇଚ୍ଛାକୁ ସ୍ବାଗତ ଜଣାଇ ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟତା ଦେଇଛି ପ୍ରଥମେଶ।
ଏତିକିରେ ଅଟକି ରହିନି ପରିବାରର ଦୁଃଖ । ପରିବାରର ରୋଜଗାର କହିଲେ ସରକାର ୪ ଜଣଙ୍କ ପାଇଁ ଯୋଗାଇ ଦେଉଥିବା ରାସନ ଓ ଭିନ୍ନକ୍ଷମ ବଡଭାଇ ପାଇଁ ୫୦୦ ଟଙ୍କାର ଭତ୍ତା । ମାସକୁ ଯାହା ରାସନ ଚାଉଳ ମିଳେ ତାହାକୁ ବିକ୍ରିକରି ଯାହା ଟଙ୍କା ହୁଏ । ସେଥିରେ ଯତ କିଞ୍ଚିତ୍ ଔଷଧ କିଣି ବାପା ମାଙ୍କ ପାଟିରେ ଦିଅନ୍ତି ପ୍ରଥମେଶ । ତେବେ ୪ ପ୍ରାଣୀ ପରିବାରଙ୍କ ଦୈନିକ ଆହାର ପାଇଁ ଭିକ୍ଷା ବୃତ୍ତି ଆପଣାଇବା ଛଡା ବାଟ ନାହିଁ ପ୍ରଥମେଶ ପାଖରେ। ପ୍ରତିଦିନ ବାପା ମା ଓ ଭାଇଙ୍କର ସେବା କରିବା ପରେ ଆଖପାଖ ଗାଁକୁ ଭିକ୍ଷା ମାଗିବାକୁ ଯାନ୍ତି ପ୍ରଥମେଶ । ପୁଅ ଗାଁରୁ କ’ଣ ମାଗି କରି ଆଣିବାର ବାଟକୁ ଅନେଇଥାନ୍ତି ବାପା, ମା ଓ ଭାଇ । ଗାଁରୁ ମାଗି ଆଣିଥିବା ଖାଦ୍ୟ ଜିନିଷ ନିଜେ ନଖାଇ ଆଗେ ରୋଗିଣା ବାପା ମା ଓ ଭାଇଙ୍କ ମୁହଁରେ ଦେଇ ଦିଅନ୍ତି ପ୍ରଥମେଶ । ତାପରେ ଚାଲେ ରୋଷେଇବାସ । ଦିନେଦିନେ ସ୍କୁଲକୁ ଯାଇ ସ୍କୁଲ ଛୁଟି ହେବା ଆଗରୁ ଘରକୁ ଫେରିଆସନ୍ତି ପ୍ରଥମେଶ । ଭୋକିଲା ପେଟରେ ରୋଗର ଯନ୍ତ୍ରଣା ଅବା କେତେଦିନ ସହିବେ ଏମାନେ । ସ୍କୁଲରେ ପାଠ ଛାଡି ଭିକ୍ଷା ବୃତ୍ତି କରି ବାପା ମା ଓ ଭିନ୍ନକ୍ଷମ ବଡଭାଇର ମୁହଁରେ ଦାନା ଦେବା ଏବେ ପ୍ରଥମେଶଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ହୋଇଛି । ଲୋକେ କହୁଛନ୍ତି ପ୍ରଥମେଶ ଏଯୁଗର ଶ୍ରବଣ କୁମାର ଆଉ ଲକ୍ଷ୍ମଣ।ତେବେ ଜିଲ୍ଲାପାଳ ପ୍ରଥମେଶ ପରିବାର ସମ୍ବନ୍ଧରେ ଯଥାସମ୍ଭବ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ଏହି ପରିବାର ପାଇଁ ଆଶା ସଂଚାର ହୋଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ