କେନ୍ଦ୍ରାପଡ଼ା: ଦିନିକିଆ କେନ୍ଦ୍ରାପଡା ଗସ୍ତ ସାରି ଭୁବନେଶ୍ୱର ଫେରିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ଆଳି ଓ ରାଜନଗରର ସଂଯୋଗୀକରଣ ପାଇଁ ନିର୍ମାଣ ଧୀନ ବିଜୁ ସେତୁର ସମୀକ୍ଷା କରିଥିଲେ । ୫୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ଏହି ସେତୁର ସମୀକ୍ଷା କରିଥିଲେ ନବୀନ ଓଡିଶା ଅଧ୍ୟକ୍ଷ ପାଣ୍ଡିଆନ । ଏହାସହ ରାଜନଗର କେରଡ଼ାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରି ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ରଖି ସାଧାରଣ ଲୋକମାନଙ୍କ ଅଭିଯୋଗ ପତ୍ର ନେଇଥିଲେ ପାଣ୍ଡିଆନ।
ପରେ କେନ୍ଦ୍ରାପଡା ସହରକୁ ଆସିବା ବାଟରେ ଗୋପାଳପୁର,ପଟ୍ଟାମୁଣ୍ଡାଇ ସହର, ଗୋଗୁଆ ଓ ତିନିମୁହାଣୀଠାରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ କର୍ମୀ ଓ ସାଧାରଣ ଜନତା। ସେହିପରି ତିନିମୁହାଣୀ ଛକଠାରୁ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଦଳୀୟ କର୍ମୀମାନେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ତାଙ୍କୁ ଆଣିଥିବାବେଳେ ସେଠାରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିଥିଲେ ପାଣ୍ଡିଆନ। ପରେ ରଥଦାଣ୍ଡରେ ଅନୁଷ୍ଠିତ ସାଧାରଣ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୫ ବିଧାୟକ ଓ ବିଧାୟକଙ୍କ ପ୍ରତିନିଧିଙ୍କ ସହ ଯୋଗଦେଇ ପାଣ୍ଡିଆନ ପୁରୁଣା କଥା ଦୋହରାଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।
ସେ କହିଥିଲେ, "ନିଦରେ ଥିବା ପିଲାକୁ ଉଠାଇ ହୁଏ । ହେଲେ ଯେଉଁ ପିଲା ନିଦରେ ନଥାଇ ଡ୍ରାମା କରୁଥାଏ ତାକୁ ଉଠାଇ ହୁଏନାହିଁ ।" ରୂପାନ୍ତରୀକରଣକୁ ସହ୍ୟ କରିପାରୁନଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ। "ଏହି ଡ୍ରାମା କରୁଥିବା ପିଲାଙ୍କୁ ଚାଦର ତଳେ ରଖିଲେ ଓଡ଼ିଶା ପାଇଁ ଭଲ" ବୋଲି କହି ନିଶାନା କରିଛନ୍ତି ବିଜେଡିର ଏହି ନୂଆ ନେତା। ଏହି ଅବସରରେ ଓଡ଼ିଶାରେ ୧୦ ହଜାର ଜଗନ୍ନାଥ ମନ୍ଦିର ରୁପାନ୍ତରୀକରଣ ହେଉଥିବା କହିବା ସହ ଆଜି କେନ୍ଦ୍ରାପଡା ଜିଲ୍ଲାରୁ ଯେଉଁ ଅଭିଯୋଗ ଯିବ ତାହା ୭ ଦିନ ସମୟସୀମା ମଧ୍ୟରେ ସମାଧାନ ହେବ ବୋଲି କହିଛନ୍ତି ପାଣ୍ଡିଆନ। ସେହିପରି ପ୍ରାକୃତିକ ବିପର୍ଯ୍ୟୟର ସଫଳତା ସହ ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଜାତିସଙ୍ଘ ପୁରସ୍କାର ପାଇବା ଛୋଟିଆ କଥା ନୁହେଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ।