କେନ୍ଦ୍ରାପଡା:ବନ୍ଧୁକ ମୁନରେ ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଲୁଟ ଘଟଣାରେ ଆଉ 3 ଲୁଟେରା ଗିରଫ । ଗତ ଗୁରୁବାର ରାତିରେ ଡାକ୍ତର ଓ ତାଙ୍କ ପତ୍ନୀ ଏବଂ ସାନଝିଅଙ୍କୁ ଆକ୍ରମଣ କରି ଲୁଟେରା ମାନେ ଫେରାର ହୋଇଯାଉଥିବା ବେଳେ ସେହି ଲୁଟେରାଙ୍କୁ ସାହସିକତାର ସହ କାବୁ କରି ଆଳି ପୋଲିସର ଜିମା ଦେଇଥିଲେ ଲୋକେ । ଏହି ଘଟଣା ଘଟିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧିନସ୍ଥ ଗୋବିନ୍ଦପୁର ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଡାକ୍ତର ବଂଶୀଧର ମହାପାତ୍ର ତାଙ୍କ ଗୋବିନ୍ଦପୁର ସ୍ଥିତ ଘରେ ପରିବାର ସହିତ ଥିବା ବେଳେ ଗୁରୁବାର ରାତି ପ୍ରାୟ 11.30 ସମୟରେ ହଠାତ ଦୁଇ ଜଣ ଯୁବକ ବନ୍ଧୁକ ଓ କଟୁରୀ ନେଇ ଘର ବାଡ଼ିପଟରେ ପଶିଥିଲେ । ତେବେ ଡାକ୍ତରଙ୍କ ସାନ ଝିଅ ଦୁର୍ବୃତ୍ତ ମାନଙ୍କୁ ଦେଖି ପାଟି କରିବାରୁ ସେମାନେ ଡାକ୍ତରଙ୍କ ମୁଣ୍ଡରେ ବନ୍ଧୁକ ଓ ପତ୍ନୀଙ୍କ ବେକରେ କଟୁରି ଲଗାଇ ଲୁଟପାଟ କରିଥିଲେ । ଅନ୍ୟପଟେ ଲୁଟପାଟ ସରିଯିବା ସମୟରେ ଡାକ୍ତରଙ୍କ ଡାହାଣ ପଟ ଛାତି ସମେତ ଦୁଇ ହାତକୁ ମଧ୍ୟ କଟୁରୀରେ ଆକ୍ରମଣ କରି ଫେରାର ହୋଇଯାଉଥିଲେ ଦୁର୍ବୃତ୍ତ । ତେବେ ପେତପଡା ଗ୍ରାମବାସୀମାନେ ସାହସିକତାର ସହ ସେହି ଦୁଇ ଯୁବକଙ୍କୁ ତାଙ୍କ ଗ୍ରାମରୁ କାବୁ କରି ଅଟୋ ସମେତ ପୋଲିସର ଜିମା ଦେଇଥିଲେ ।