କେନ୍ଦ୍ରାପଡ଼ା: ଅଶି ଦଶକରୁ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀର ନାଟକୀୟ ଅନ୍ତ ଘଟିଛି । ଚୌଦ୍ୱାରରୁ ବାରିପଦା କାରଗାରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ସିମୁଳିଆ ଥାନା ଅଧିନ ଏକ ସ୍ଥାନରେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ଟ୍ବିନ୍ ସିଟି ପୋଲିସ କମିଶନର ।
ଅନ୍ୟପଟେ ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ବଡ଼ ପଦକ୍ଷେପ । କେନ୍ଦ୍ରାପଡ଼ା ସହରର ୨୧ଟି ୱାର୍ଡ ସମେତ କେନ୍ଦ୍ରାପଡ଼ା ବ୍ଲକର କପାଳେଶ୍ୱର,ଜମଧର ଓ ଗୁଲନଗର ସମେତ ଡେରାବିଶ୍ ବ୍ଲକର ବାରିମୂଳ ପଞ୍ଚୟତରେ ୧୪୪ ଧାରା ଜାରି କରାଯାଇଛି । ଏନେଇ ଶନିବାର ରାତି ୧୧ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଏନେଇ ସୂଚନା ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ।
କୁଖ୍ୟାତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ସେକ ହାଇଦର ଅଲ୍ଲିକୁ ଆଜି ପୋଲିସର ଏନକାଉଣ୍ଟର ପରେ କୌଣସି ପ୍ରକାର ବାଦବିବାଦ ଏବଂ ଶାନ୍ତିଶୃଙ୍ଖଳା ଭଙ୍ଗ ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଥିବା ଚିଠି ନଂ ୫୦୨/RPS ରେ ଉଲ୍ଲେଖ କରାଯାଇଛି। କର୍ଫ୍ୟୁ ଜାରୀ ସମୟରେ ଗୋଟିଏ ସ୍ଥାନରେ ୫ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମକୁ ବାରଣ କରାଯାଇଛି । କର୍ଫ୍ୟୁ ସମୟରେ ଅର୍ଥାତ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ କେବଳ ଗ୍ରୋସରୀ,ପନିପରିବା ଓ ମାଛମାଂସ ଦୋକାନ ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।