କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଉପକାରଗାରରୁ ମୁକୁଳିଲେ ଖରସ୍ରୋତା ସଂଗ୍ରାମ ସମିତିର ୨୩ ଜଣ ସଦସ୍ୟ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଭାରିଗଦା ଓ ବରୁଣାଡ଼ିହା ପଞ୍ଚାୟତର ଶହଶହ ସଂଗ୍ରାମୀ ଗତ ଅଗଷ୍ଟ ୧୨ତାରିଖ ଦିନ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପସ୍ଥଳରେ ପହଞ୍ଚି କମ୍ପାନୀର ବିଭିନ୍ନ ଆସବାବପତ୍ର ଓ ଯନ୍ତ୍ରାଂଶ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା ।
ଏନେଇ କମ୍ପାନୀ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ରାଜକନିକା ଥାନାରେ ଏକ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ରାଜକନିକା ପୋଲିସ ଅଗଷ୍ଟ ୧୩ ତାରିଖରେ ମଧ୍ୟରାତ୍ରିରେ ସ୍ଥାନୀୟ ଅଞ୍ଚଳରେ ଘରେ ପଶି ୨୪ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା।
ତେବେ ପୋଲିସ ଗିରଫ କରିଥିବା ବ୍ୟକ୍ତିମାନେ ଘଟଣାସ୍ଥଳରେ ନଥିବା ସହ ଶାସକ ଦଳର ସମର୍ଥକମାନେ ଏହି ଭଙ୍ଗରୁଜା କରିଥିବା ଅଭିଯୋଗ କରି ଗିରଫ ହୋଇଥିବା ଦାବି କରିବା ସହ ଗିରଫ ନିରୀହ ଲୋକମାନଙ୍କ ଉପରୁ ନିଃସର୍ତ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା ଖରୋସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି । ଏହି ଦାବି ନେଇ ଗତ ଅଗଷ୍ଟ ୧୫ ତାରିଖରୁ ଏପର୍ଯ୍ୟନ୍ତ ସ୍ଥାନୀୟ ଅଚ୍ୟୁତପୁର ଠାରେ ସମିତି ପକ୍ଷରୁ ଗଣଧାରଣା ଜାରି ରହିଛି।