କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଅଘଟଣ । ମଝି ନଈରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ନାଉରିଆ ସହ ଜଣେ ଯାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା । କେନ୍ଦ୍ରାପଡାର କେରଡ଼ାଗଡ଼-ଏକମାଣିଆ ଘାଟରେ ନଦୀ ପାର ହେଉଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କେରଡ଼ାଗଡ଼-ଏକମାଣିଆ ଘାଟରୁ 28 ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଯାତ୍ରା ଆରମ୍ଭ କରିଥିଲା । ଏହାର ଠିକ୍ 10 ମିନିଟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଈରେ ବୁଡି ଯାଇଥିଲା । ଫଳରେ ଡଙ୍ଗାର ନାଉରିଆ ଓ ଜଣେ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଅନ୍ୟପଟେ ଜଣେ ନାବାଳକ ନିଖୋଜ ହୋଇଯାଇଥିବାରୁ ତାଙ୍କ ମାଆ ନଦୀ ପଠାରେ ପହଞ୍ଚିଛନ୍ତି ।‘‘ ମୋ ପୁଅ ନଦୀରେ ଭାସିଯାଇଛି । ସେ ଏକମାଣିଆ ସ୍ଥିତ ଗାଁକୁ ଯାଇଥିଲା । ଘର କାମ ଥିବାରୁ ଆଜି ସେ ଡଙ୍ଗା ଯୋଗେ ଆସୁଥିବା ବେଳେ ନଦୀରେ ନିଖୋଜ ହୋଇଯାଇଥିବା’’ କହିଛନ୍ତି ମହିଳା ଜଣଙ୍କ ।
ଏହା ମଧ୍ୟ ପଢନ୍ତୁ-୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ, ଦ୍ବିତୀୟ ଦିନରେ ୫ ଜିଲ୍ଲାର ୩୨୮ ସ୍କୁଲ ଲୋକାର୍ପିତ
ଗତ ଚାରିମାସ ପୂର୍ବେ ଅନୁରୂପ ଭାବେ ଏହି ଘାଟରେ ଡଙ୍ଗାବୁଡି ହୋଇଥିଲା । କନ୍ୟା ଦେଖାକୁ ଯାଉଥିବା ବରଘର ସମ୍ପର୍କୀୟ ମାନେ ଏକ ଡଙ୍ଗାରେ ଯାତ୍ରୀ କରୁଥିଲେ । କିନ୍ତୁ ହଠାତ୍ ଡଙ୍ଗାଟି ନଦୀରେ ବୁଡିଯାଇଥିଲା । କିନ୍ତୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।