ଓଡିଶା

odisha

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଯୁଦ୍ଧ ଟ୍ୟାଙ୍କର, ବଖାଣୁଛି ଭାରତ-ପାକିସ୍ତାନ ଯୁଦ୍ଧର ଗାଥା

By

Published : Oct 17, 2021, 9:47 PM IST

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ନିର୍ମିତ ଲଢୁଆ ଯୁଦ୍ଧ ଟ୍ୟାଙ୍କ ' T-55' ଗତକାଲି କେନ୍ଦ୍ରାପଡା କଲେଜରେ ପହଞ୍ଚିଛି। ଅଧିକ ପଢନ୍ତୁ...

୧୯୭୧ india pak war tank T-55 reach in kendrapda college
କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଯୁଦ୍ଧ ଟ୍ୟାଙ୍କର,ବଖାଣୁଛି ଭାରତ ପାକିସ୍ତାନ ଯୁଦ୍ଧର ଗାଥା

କେନ୍ଦ୍ରାପଡା: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଜିଲ୍ଲାର ସର୍ବବୃହତ୍ ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଲଢ଼ୁଆ ଯୁଦ୍ଧ ଟ୍ୟାଙ୍କ । ପାକିସ୍ତାନ ବିରୋଧରେ ଭାରତର ବିଜୟ ଗାଥା ମୁକସାକ୍ଷୀ ଲଢୁଆ ଯୁଦ୍ଧ ଟ୍ୟାଙ୍କ ' T-55' ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ନିର୍ମିତ ଲଢୁଆ ଯୁଦ୍ଧ ଟ୍ୟାଙ୍କ ' T-55' ଗତକାଲି କେନ୍ଦ୍ରାପଡା କଲେଜରେ ପହଞ୍ଚିଛି। ଏହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ଭିଡ଼ ଜମିଛି। ସେନାବାହିନୀରେ ସାମିଲ୍ ହେବା ପାଇଁ ଛାତ୍ରଛାତ୍ରୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ର କ୍ୟାଡେଟଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ଟ୍ୟାଙ୍କ ଅଣାଯାଇଛି । ତେବେ କଲେଜର ପ୍ରଶାସନିକ ବ୍ଲକ୍ ସମ୍ମୁଖରେ ଏହା ରଖାଯିବ ବୋଲି କଲେଜ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି।

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଯୁଦ୍ଧ ଟ୍ୟାଙ୍କର,ବଖାଣୁଛି ଭାରତ ପାକିସ୍ତାନ ଯୁଦ୍ଧର ଗାଥା

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏହି ଟ୍ୟାଙ୍କ ପୁନେ ଠାରେ ଥିବା ସେନାବାହିନୀ କାର୍ଯ୍ୟାଳୟରେ ରଖାଯାଇଥିଲା। ଏହାର ଓଜନ ୩୭ ଟନ୍‌ ଥିବାବେଳେ ଲମ୍ବ ୩୬ ଫୁଟ୍ ୬ ଇଞ୍ଚ,ଚଉଡ଼ା ୧୦ ଫୁଟ୍ ୮ ଇଞ୍ଚ ଏବଂ ଉଚ୍ଚତା ରହିଛି ୯ ଫୁଟ୍। ଏହାର ବିଶେଷତ୍ଵ ହେଉଛି,ପାକିସ୍ତାନ ସେନା ବିରୋଧରେ ଲଢ଼େଇ କରି ଭାରତକୁ ଜିତାଇବାରେ ଏହି ଟ୍ୟାଙ୍କର ଭୂମିକା ଅଗ୍ରଣୀ ଥିଲା। ତେବେ ଗତବର୍ଷ କଲେଜ ପକ୍ଷରୁ ଏହି ପ୍ରସ୍ତାବ ଦିଆଯିବା ପରେ ଜିଲ୍ଲା ପ୍ରଶାସନ ଭାରତୀୟ ସେନା ମନ୍ତ୍ରଣାଳୟକୁ ଚିଠି ଲେଖି ଆବେଦନ କରିଥିଲା । ପୂର୍ବତନ ସେନା ମୁଖ୍ୟ ତଥା ବର୍ତ୍ତମାନର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଏହି ଆବେଦନକୁ ଅନୁମୋଦନ କରିଛନ୍ତି । ଏହା ପରେ ଗତ ୧୧ ତାରିଖରେ ଏହି ଟ୍ୟାଙ୍କକୁ ଟ୍ରକ୍‌ରେ ଲୋଡ୍ କରାଯାଇଥିଲା। ପାଞ୍ଚଦିନ ପରେ ଗତକାଲି ଆସି କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଏହାକୁ ଯୁଦ୍ଧ ଟ୍ରଫି ଭାବରେ କଲେଜକୁ ପ୍ରଦାନ କରାଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ୧ ଲକ୍ଷ ୧୪ ହଜାର ଟଙ୍କା ପୈଠ କରାଯାଇଥିଲା ବୋଲି ସୂଚନା ମିଳିଛି । ପରିବହନ ଖର୍ଚ୍ଚ ମଧ୍ୟ କଲେଜ ବହନ କରିଛି ।

ଅଧ୍ୟକ୍ଷ ଡକ୍ଟର ତ୍ରିପାଠୀଙ୍କ ସୂଚନା ମୁତାବକ ମହାବିଦ୍ୟାଳୟର ଅନେକ ପୂର୍ବତନ ଛାତ୍ର ସେନା ବାହିନୀରେ ଅଛନ୍ତି। ସେମାନେ ପ୍ରଥମେ ଏହି ପ୍ରସ୍ତାବ ଦେଇଥିଲେ। ରାଜ୍ୟର ଅନ୍ୟ କଲେଜକୁ ଅନୁରୂପ ଟ୍ୟାଙ୍କ୍ ଯାଉଥିବା ବେଳେ କେନ୍ଦ୍ରାପଡ଼ା କଲେଜ ପକ୍ଷରୁ କାହିଁକି ଆବେଦନ କରାଯାଉନାହିଁ ବୋଲି ପୁରାତନ ଛାତ୍ରମାନେ ପ୍ରଶ୍ନ କରିବା ସହିତ ଯୁଦ୍ଧ ଟ୍ରଫି ପାଇଁ ଆବେଦନ କରିବାକୁ କହିଥିଲେ। ଏହାପରେ କଲେଜ ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ବିଧିବଦ୍ଧ ମନ୍ତ୍ରଣାଳୟକୁ ଆବେଦନ କରାଯାଇଥିଲା,ଯାହା ଏବେ ସଫଳ ହୋଇଛି। ସେନା ବାହିନୀରେ ସାମିଲ୍ ହୋଇ ଦେଶର ସେବା କରିବାକୁ ଚାହୁଁଥିବା ପିଲାମାନେ ଏହି ଟ୍ୟାଙ୍କ୍‌କୁ ନିକଟରୁ ଦେଖିବା ପରେ ନିଶ୍ଚିତ ରୂପେ ସେମାନଙ୍କ ମନୋବଳ ଓ ଆତ୍ମବିଶ୍ବାସ ବୃଦ୍ଧିପାଇବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details