ଫୁଲବାଣୀ: ଏମିତି ବି ଆସେ ମୃତ୍ୟୁ ! ପୁଅର ମୃତ୍ୟୁ ଖବର ଶୁଣି ଟଳିପଡିଲା ସାବତ ମାଆ । ହୃଦଘାତରେ ଉଡିଗଲା ପ୍ରାଣବାୟୁ । ଫଳରେ ଗୋଟିଏ ଶ୍ମଶାନରେ ମାଆ-ପୁଅର ଏକାଠି ଜୁଇ ଜଳିଛି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଲୋଇସିଂ ପଞ୍ଚାୟତର ରାଞ୍ଜୀଣୀ ଗାଁରୁ । ଦୁଇ ମୃତକ ହେଲେ ସୁଶାନ୍ତ ହରିପାଳ ଓ ମାଆ ପୋଇନ ହରିପାଳ ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗାଁର ସ୍ବର୍ଗତ କୃଷ୍ଣଚନ୍ଦ୍ର ହରିପାଳଙ୍କ ପୁଅ ସୁଶାନ୍ତ ହରିପାଳ ରାଞ୍ଜୀଣୀ ଗାଁର ଜଣେ ସମ୍ପର୍କୀୟଙ୍କ ଘରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ । କୌଣସି କାରଣକୁ ନେଇ ସୁଶାନ୍ତ ହରିପାଳ ଗତ ସୋମବାର ଦିନ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରଥମେ ବାଲାନ୍ଦାପଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗତକାଲି ସକାଳେ ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏନେଇ ଖବର ପାଇ ଗୋଚ୍ଛାପଡା ପୋଲିସ ମେଡିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଅନ୍ୟପଟେ ଯୁବକଙ୍କ ମୃତ୍ୟୁ ଖବର ଶୁଣି ସାବତ ମାଆ ପୋଇନ ହରିପାଳଙ୍କର ମଧ୍ୟ ହୃତଘାତରେ ମୃତ୍ୟୁ ହୋଇଥିଲା । ଗୋଟିଏ ଜୁଇରେ ଜଳିଥିଲା ମାଆ ପୁଅଙ୍କ ଚିତା । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ମୃତ ଯୁବକ କାହିଁକି ଜୀବନ ହାରିଲେ ତାହାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସର ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଗୋଚ୍ଛାପଡା ଥାନାର ଅତିରିକ୍ତ ଥାନା ଅଧିକାରୀ ମନୋରଞ୍ଜନ ଭୋଇ ସୂଚନା ଦେଇଛନ୍ତି ।